ଅଢ଼େଇ ଦିନର ଛୁଆକୁ ପାଇଁ ଅଢ଼େଇ ଲକ୍ଷରେ ଡିଲ୍ ଅଭିଯୋଗ : ତନାଘନା ପରେ ସଫେଇ ରଖିଲେ ବାପା-ମା’

267

କନକ ବ୍ୟୁରୋ : ନିର୍ଦ୍ଦୟ ହେଲେ ବାପା, ମାଆ । ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ । ଯଦିଓ ସେମାନେ ପିଲାଟିକୁ ଦାନ କରିଥିବା କହିଛନ୍ତି, କିନ୍ତୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଏଭଳି ଅଭାବନୀୟ ଘଟଣା ବାଲୋଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତଲାଡି ଗାଁରୁ ସାମ୍ନାକୁ ଆସିଛି । ଯାହା ରାସାରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସବୁଠାରୁ ବଡକଥା ହେଉଛି ପିଲାଟିକୁ ଅନ୍ୟକୁ ଦେଇଦେଇଥିବା କ୍ୟାମେରା ଆଗରେ ସ୍ୱୀକାର କରିଛନ୍ତି ଏହି ଦମ୍ପତି ।

୨ ଦିନର ପିଲାକୁ ହସ୍ପିଟାଲରୁ ହିଁ ଅନ୍ୟ ହାତକୁ ଟେକି ଦେଇଛନ୍ତି । ଏହା ପଛର କାରଣ ଆହୁରି ସାଂଘାତିକ । ଘରେ ଅଭାବ ଅନଟନ ଲାଗି ରହୁଥିଲା । ପୂର୍ବରୁ ଏମାନଙ୍କ ଏକ ୫ ବର୍ଷର ଝିଅ ଅଛି । ତେଣୁ ନବଜାତ ଶିଶୁକନ୍ୟାର ଲାଳନପାଳନ ଏମାନଙ୍କ ପକ୍ଷେ ଆଉ ସମ୍ଭବ ନଥିଲା । ପିଲାଟିର ସୁରକ୍ଷିତ ଭବିଷ୍ୟତ ପାଇଁ ତାକୁ ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କୁ ଦାନ କରିଦେଇଛନ୍ତି । ଯାହାଙ୍କ ନାଁ ମଧ୍ୟ ସେମାନେ ଜାଣନ୍ତି ନାହିଁ । ହସ୍ପିଟାଲର ଜଣେ କର୍ମଚାରୀଙ୍କ ସହୟତାରେ ହିଁ ପିଲାଟିକୁ ହସ୍ପିଟାଲରୁ ପାର କରାଇ ଦେଇଥିବା ଏହି ଦମ୍ପତି କହିଛନ୍ତି ।

ମନୋଜ ଦାସଙ୍କ ସ୍ତ୍ରୀ ସୁଷମା ଦାସ, ଗତ ଜୁଲାଇ ୩୧ ତାରିଖରେ ଜଳେଶ୍ୱରପୁର ଗେଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ସୁଷମା । କିନ୍ତୁ ହସ୍ପିଟାଲରୁ ଫେରିବା ବେଳେ ମନୋଜ ଓ ସୁଷମାଙ୍କ ସହ ନବଜାତ ଶିଶୁକନ୍ୟାଟି ଘରକୁ ଫେରିନଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗାଁ ଲୋକ ମନୋଜ ଓ ସୁଷମାଙ୍କୁ ଘେରିଯାଇ ପଚରା ଉଚରା କରିବାରୁ ଏମାନେ ସବୁ ସତକଥା ମାନି ଯାଇଥିଲେ ।

ସେପଟେ କଖଡା ପଂଚାୟତର ପୂର୍ବତନ ସମିତି ସଭ୍ୟ ଅର୍ଜୁନ ପ୍ରହରାଜ, ଜଲେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ପିଲାଟିକୁ ପାପା ମାଆ ନେବାକୁ ଅମଙ୍ଗ ହେବାରୁ ହସ୍ପିଟାଲର କିଛି କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ପିଲାଟିକୁ ଦେଇ ଦେଇଥିବା ତାଙ୍କୁ ସୂଚନା ଦେଇଥିଲେ । ଏପିରିକି ସଂପୃକ୍ତ ବ୍ୟକ୍ତି ଏଥିପାଇଁ ମନୋଜ ଓ ସୁଷମାଙ୍କୁ ୧୦ ହଜାର ଟଙ୍କା ଦେଇଛନ୍ତି । ହେଲେ ଏହି ପିଲା କାରବାର ପାଇଁ ଅଢେଇ ଲକ୍ଷ ଟଙ୍କାର ଡିଲ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିବା ପରେ ତନାଘନା ତଦନ୍ତ ଆରମ୍ଭ କରିଛି ଚାଇଲ୍ଡ ଲାଇନ୍ । ଜଲେଶ୍ୱପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରେଜିଷ୍ଟର ଯାଂଚ କରିବା ପରେ କର୍ମଚାରୀଙ୍କୁ ପଚରା ଉଚୁରା କରୁଛି । ସେପଟେ ତଲାଡ ଗାଁରେ ପହଂଚି ଉଭୟ ମନୋଜ ଓ ସୁଷମାଙ୍କ ବୟାନ ରେକର୍ଡ କରିଛି । ପିଲା ବିକ୍ରି ନେଇ ଗାଁ ଲୋକଙ୍କ ଅଭିଯୋଗ ମଧ୍ୟ ପାଇଛି ଚାଇଲ୍ଡ ଲାଇନ୍ । ସେ ଦିଗରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଚାଇଲ୍ଡଲାଇନ ସଦସ୍ୟ । ପୁରା ଘଟଣାରେ ହସ୍ପିଟାଲର କେଉଁ କର୍ମଚାରୀ ସାମିଲ ଅଛନ୍ତି ସେ ଦିଗରେ ଚାଇଲ୍ଡଲାଇନ୍ ଅଧିକ ଖୋଳତାଡ କରୁଛି ।