ବିଦେଶ ମାଟିରୁ ଆସି ଭାରତୀୟ ଜାତୀୟ କଂଗ୍ରେସର ହୋଇଥିଲେ ସଭାପତି, ଜାଣନ୍ତୁ କିଏ ଏହି ମହିଳା

369

କନକ ବ୍ୟୁରୋ : ୧୯୧୭ ମସିହାରେ ଭାରତରେ ଜାତୀୟ କଂଗ୍ରେସର ସଭାପତି ପଦ ପାଇଁ ନିର୍ବାଚନ ହେଉଥିଲା । ଏହି ସମୟରେ ଗାନ୍ଧୀଜୀ ଭାରତ ଆସିସାରିଥିଲେ । କଂଗ୍ରେସରେ ମୋତିଲାଲ ନେହରୁ, ବାଲ ଗଙ୍ଗାଧର ତିଲକଙ୍କ ଭଳି ବଡ ବଡ ନେତା ଦଳ ଭିତରେ ଥିଲେ । ହେଲେ ବିଦେଶ ମାଟିରୁ ଆସିଥିବା ଜଣେ ମହିଳାଙ୍କୁ ଦଳ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଥିଲା ।

ଆଜି ହେଉଛି ମହିୟସୀ ମହିଳା ଆନି ବେସାନ୍ତଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ମନେପକାଇବା ବେଳେ ଏବେ କଂଗ୍ରେସର ଅଧ୍ୟକ୍ଷପଦ ପାଇଁ ନିର୍ବାଚନ ଚାଲିଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଦଳର ମୋତିଲାଲ ନେହରୁ, ବାଲ ଗଙ୍ଗାଧର ତିଲକ ଓ ମହାତ୍ମା ଗାନ୍ଧୀଙ୍କ ଭଳି ନେତାମାନଙ୍କର ରାଜୁତି ଥିଲା ସେତେବେଳେ ଦଳ ଜଣେ ବିଦେଶୀନିଙ୍କୁ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

ଆନି ଓଡ ବେସାନ୍ତଙ୍କ ଜନ୍ମ ୧୮୪୭ ଅକ୍ଟୋବର ପହିଲାରେ ଲଣ୍ଡନର ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ତାଙ୍କ ପିତା ଜଣେ ଡାକ୍ତର ଥିଲେ । ହେଲେ ଆନି ବେସାନ୍ତ ଯେତେବେଳେ ବଡ ହେଲେ ତାଙ୍କ ମନରେ ସ୍ୱତନ୍ତ୍ରତା, ସୁଶାସନ ଓ ସମାଜସେବା ଭଳି ବିଚାର ଜନ୍ମ ନେଇଥିଲା । ବାଶ୍ ଏହାପରେ ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ତାଙ୍କର ବିବାହ ହେଲା । ହେଲେ ଏହି ବିବାହ ସଫଳ ହୋଇ ନଥିଲା । ଏହାପରେ ନିଜ ଝିଅକୁ ଧରି ଆନି ବେସାନ୍ତ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ଏହାରି ମଧ୍ୟରେ ଆନି ବେସାନ୍ତ ଲେଖା ଲେଖି ଆରମ୍ଭ କରିଦେଇଥିଲେ । ତାଙ୍କ ଲେଖା ମାଧ୍ୟମରେ ସ୍ୱତନ୍ତ୍ରତା, ଧର୍ମ ନିରପେକ୍ଷତା, ଜନସଂଖ୍ୟା ନିୟନ୍ତ୍ରଣ, ମହିଳାଙ୍କ ଅଧିକାର ଭଳି ମୁଦ୍ଦା ଉଠାଉଥିଲେ । ଧିରେ ଧିରେ ସେ ଆଧ୍ୟାତ୍ମିକ ଓ ଇଶ୍ୱରବିଶ୍ୱାସୀ ହେବାରେ ଲାଗିଲେ । ତାଙ୍କ ଲେଖା ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଲା ।

ଏହି ଲେଖାଲେଖି ମଧ୍ୟରେ ପ୍ରଥମଥର ୧୮୭୮ ମସିହାରେ ସେ ଭାରତ ଉପରେ ନିଜର ମତ ରଖିଲେ । ଏହାସହ ସେ ୧୮୮୩ ମସିହାରେ ଥିୟୋସୋଫିକଲ ସୋସାଇଟ ସହିତ ଜଡିତ ହେଲେ ଓ ଖବୁଶୀଘ୍ର ସେ ଏହି ସଂସ୍ଥାର ପ୍ରମୁଖ ବକ୍ତା ହୋଇଗଲେ । ସେହି ୧୮୮୩ ମସିହାରେ ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋ ସହରର ଯେଉଁ ଧର୍ମ ସଂସଦରେ ନିଜର ପ୍ରସିଦ୍ଧ ଭାଷଣ ଦେଇଥିଲେ ସେହି ସଂସଦରେ ଥିୟୋସୋଫିକଲ ସୋସାଇଟ ତରଫରୁ ଆନି ବେସାନ୍ତ ପ୍ରତିନିଧିତ୍ୱ କରିଥିଲେ ।

ଠିକ୍ ଏହାର ୧୦ ବର୍ଷ ପରେ ଅର୍ଥାତ ୧୮୯୩ ମସିହାରେ ଥିୟୋସୋଫିକଲ ସୋସାଇଟର ଏକ କାର୍ଯ୍ୟ ପାଇଁ ଆନି ବେସାନ୍ତ ଭାରତ ଆସିଥିଲେ । ହେଲେ ସେ ଆଉ ଭାରତରୁ ନଫେରି ଏଠାରେ ରହିଯାଇଥିଲେ । ୧୯୦୭ ରେ ତାଙ୍କୁ ଥିୟୋସୋଫିକଲ ସୋସାଇଟର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା ।

ସେ ଲୋକମାନ୍ୟ ତିଲକଙ୍କ ସହ ମିଶି ୧୯୧୬ ମସିହାରେ ଅଲ ଇଣ୍ଡିଆ ହୋମ୍ ରୁଲ ଲିଗ୍ ଆନ୍ଦୋଳନରେ ଭାଗ ନେଇଥିଲେ । ଏନେଇ ତାଙ୍କୁ ଯେତେବେଳେ ଗିରଫ କରାଗଲା ସେତେବେଳେ ଉଭୟ କଂଗ୍ରେସ ଓ ମୁସଲିମ୍ ଲିଗ୍ ତାଙ୍କ ଗିରଫଦାରୀକୁ ବିରୋଧ କରିଥିଲେ । ଏହା ଫଳରେ ଶେଷରେ ଇଂଗ୍ରେଜମାନଙ୍କୁ ମୁଣ୍ଡ ତଳକୁ କରିବାକୁ ପଡିଥିଲା ଓ ଆନି ବେସାନ୍ତଙ୍କୁ ଜେଲରୁ ଛାଡି ଦେଇଥିଲେ । ଏହାପରେ ସେ କଂଗ୍ରେସରେ ଯୋଗଦେଲେ ଓ ୧୯୧୭ ରେ ବିନା ପ୍ରତିଦ୍ୱନ୍ଦୀରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୧୯୩୩ ସେପ୍ଟେମ୍ବର ୨୦ ତାରିଖରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।