ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କୁ ମିଳିବ ନିଯୁକ୍ତି : ଶିବଶଙ୍କର ମିଶ୍ର, ଆନନ୍ଦଚନ୍ଦ୍ର ବେହେରା ହେବେ ନୂଆ ବିଚାରପତି

466

କନକ ବ୍ୟୁରୋ : ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି । ଓଡ଼ିଶା ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଆଇନଜୀବୀ ଶିବ ଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାକୋର୍ଟରେ ନିଯୁ୍କ୍ତି ମିଳିବ । ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେଇ ଗଠିତ କଲେଜିୟମର ସୁପାରିଶ କ୍ରମେ ସେମାନଙ୍କୁ ବିଚାରପତି ନିଯୁକ୍ତି ଦିଆଯିବ । ଗତ ଜାନୁଆରୀ ମାସରେ ଏହି ଦୁଇ ବ୍ୟକ୍ତିଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପାରିଶ କରାଯାଇଥିଲା । ଯାହାକୁ ଉଭୟ ରାଜପାଳ ଓ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ।

ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ‌ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେଶାରେ ୩୦ ବର୍ଷର ଅନୁଭବ ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି । ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।

ଆନନ୍ଦଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ । ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନ କରି ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦଚନ୍ଦ୍ର ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ।