ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା । ଏଯାଏଁ ସରିଲାଣି ୧୮ ଜଣଙ୍କୁ ଜେରା । ପୋଲିସ ପାଖରେ ନାହିଁ ହାତଲେଖା ଚିଠିର ହାର୍ଡକପି ।

71

କନକ ବ୍ୟୁରୋ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଏଯାଏଁ ସରିଲାଣି ୧୮ ଜଣଙ୍କୁ ଜେରା । ପୋଲିସ ଏଯାବତ ଏହି ମାମଲାରେ ୧୮ ଜଣଙ୍କୁ ଜେରା କରିଥିବାବେଳେ, ସେମାନଙ୍କ ବୟାନ ରେକର୍ଡ କରିସାରିଛି । ତେବେ ପ୍ରକୃତ ହାତଲେଖା ଚିଠିର ହାର୍ଡକପି ଏପର୍ଯ୍ୟନ୍ତ ପୋଲିସକୁ ମିଳିନଥିବାବେଳେ, ଭାଇରାଲ ହେଉଥିବା ଅଡିଓ କ୍ଲିପର ଯାଞ୍ଚ ହେବ ବୋଲି ସୂଚନା ମିଳିଛି । ଏଥିସହ ଏହି ଘଟଣାରେ ଏପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହେଇନାହିଁ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ରହସ୍ୟ ଖୋଲିବାକୁ ତଦନ୍ତ ଚଳାଇଛି ପୋଲିସ୍ । ଏନେଇ ଅଭିଯୁକ୍ତ ଶରତ ନାୟକଙ୍କୁ ପଚରାଉଚରା ହୋଇଛି । ଏହାସହ ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡିଛି । ଝିଅର ପ୍ରେମିକଙ୍କ ମା ସହ ଶରତ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନ୍ତ କରାଯିବ ବୋଲି କହିଥିଲେ କଟକ ଜିଲ୍ଲା ଏସପି ମିହିର ପଣ୍ଡା । ସେହିପରି ଗଣମାଧ୍ୟମରେ ଦର୍ଶାଯାଇଥିବା କିଛି ତଥ୍ୟ ଉପରକୁ ମଧ୍ୟ ପୋଲିସ ନଜର ଦେଉଛି ।