ଉଡାନ ଯୋଜନାକୁ ୫ ବର୍ଷ, ଉଡିଲେଣି କୋଟିଏ ଲୋକ। ୨୦୨୬ ସୁଦ୍ଧା ୧ ହଜାର ମାର୍ଗକୁ ଯୋଡାଯିବାକୁ ଲକ୍ଷ୍ୟ । 

117

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାକୁ ୫ ବର୍ଷ ପୁରିଛି । ଏହି ୫ ବର୍ଷରେ ଛୋଟ ଛୋଟ ସହରରେ ବିମାନବନ୍ଦର କରି ଅନ୍ୟ ସହର ସହ ଯୋଡାଯାଇଛି । ବେସାମରିକ ବିମାନ ଚଳାଚଳ ବିଭାଗର ତଥ୍ୟ ଅନୁସାରେ ଗତ ୫ବର୍ଷରେ ଏକ କୋଟିରୁ ଅଧିକ ଯାତ୍ରୀ ଉଡାଣ ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି । ୨୦୧୬ ମସିହା ଅକ୍ଟୋବର ୨୧ରେ ଟିଅର୨, ଟିଅର୩ ସହରରେ ଏହି ଉଡାଣ ଯୋଜନା ଆରମ୍ଭ କରାଯାଇଥିଲା । ସାଧାରଣ ଲୋକଙ୍କୁ ବିମାନ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ୨୦୧୭ ଏପ୍ରିଲ ୧୭ରେ ଏହି ଯୋଜନାର ପ୍ରଥମ ବିମାନ ଉଡିଥିଲା ।

ଗତ ୫ ବର୍ଷରେ ଉଡାନ ଯୋଜନା ବିଭିନ୍ନ କ୍ଷେତ୍ରୀୟ  ଅଞ୍ଚଳରେ ଉଲ୍ଲେଖନୀୟ ସେବା ଯୋଗାଇଆସୁଛି । ୨୦୧୪ରେ ୭୪ ବିମାନବନ୍ଦର ରହିଥିଲା । ଉଡାଣ ଯୋଜନା କାରଣରୁ   ବର୍ତ୍ତମାନ ଏହି ସଂଖ୍ୟା ୧୪୧ ହୋଇଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସୂଚନା ଅନୁସାରେ ୫୮ଟି ବିମାନବନ୍ଦର ୮ଟି ହୋଲିପୋର୍ଟ, ୨ଟି ୱାଟର ଏରୋଡ୍ରମ୍ ନିର୍ମାଣ ହୋଇଛି । ଏହି ଯୋଜନା ଅନ୍ତର୍ଗତ ୪୨୫ଟି ନୂଆ ମାର୍ଗ ସହ ସାରା ଦେଶରେ ୨୯ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ବିମାନ ସଂଯୋଗ କରାଯାଇଥିଲା । ୨୦୨୨ ଅଗଷ୍ଟ ୪ ଯାଏଁ ଏକ କୋଟିରୁ ଅଧିକ ଯାତ୍ରୀ ବିମାନଯାତ୍ରା କରିଛନ୍ତି । ଉଡାଣ ଯୋଜନା ଅନ୍ତର୍ଗତ ୨୨୦ ବିମାନ ବନ୍ଦରକୁ ୨୦୨୬ ସୁଦ୍ଧା ୧ ହଜାର ମାର୍ଗକୁ ଯୋଡାଯିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ୧୫୬ ବିମାନବନ୍ଦରକୁ ୯୫୪ଟି ମାର୍ଗ ସହ ଯୋଡାଯାଇଛି ।