ମୁଣ୍ଡ ନୁଆଁଇଲେ ଚୀନ୍ ସରକାର । ଜନତାଙ୍କ ଆକ୍ରୋଶ, ବ୍ୟାକଫୁଟରେ ଜିନପିଙ୍ଗ

184

କନକ ବ୍ୟୁରୋ : ୨୦୧୯ ମସିହା ଡିସେମ୍ବର ମାସରେ ଚୀନରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହି ମହାମାରୀକୁ ତିନି ବର୍ଷ ପୂରି ସାରିଛି । ଭାରତ ସମେତ ସମଗ୍ର ବିଶ୍ୱରେ ଏହି ମହାମାରୀ ବ୍ୟାପିଥିଲା । ଅନେକ ଦେଶ ଏହି ମହାମାରୀ ବିରୋଧରେ ଲଢ଼ିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ଚୀନ୍ ଏବେବି କଠିନ ସମୟ ଦେଇ ଗତି କରୁଛି । ପ୍ରଥମେ ଚୀନରେ ଜିରୋ କୋଭିଡ୍ ନୀତିକୁ ସଫଳ କୁହାଯାଉଥିଲେ ବି ଏବେ କିନ୍ତୁ ସେହି ନୀତି ସରକାରଙ୍କ ବିରୋଧରେ ଜନତାଙ୍କ ଆକ୍ରୋଶର ବଡ଼ କାରଣ ହୋଇଛି । ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର କଟକଣା ତ କୋହଳ କଲେ, କିନ୍ତୁ ଜିନପିଙ୍ଗଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଜିନପିଙ୍ଗ ସରକାର ଯେଉଁ ଜିରୋ କୋଭିଡ୍ ନୀତି ଲାଗୁ କରିଥିଲେ, ତାକୁ ନେଇ ଜନତାଙ୍କ ମନରେ ତୀବ୍ର ଆକ୍ରୋଶ ଦେଖାଦେଇଛି । ଆଉ ଦୀର୍ଘ ବର୍ଷ ପରେ ଚୀନର କମ୍ୟୁନିଷ୍ଟ ସରକାର ବିରୋଧରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦେଶରେ ମହାମାରୀ, ଜନତାଙ୍କ ବିରୋଧ ପ୍ରଦର୍ଶନ, ଖାଦ୍ୟ ସଂକଟ ଏବଂ ଆର୍ଥିକ ବୋଝ ଚୀନ୍ ସରକାରର ଚିନ୍ତା ବଢ଼ାଇ ଦେଇଛି । ଜନତାଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ସରକାର କୋଭିଡ୍ ନୀତିକୁ କୋହଳ କରିଛନ୍ତି । କଟକଣାକୁ କୋହଳ କରିବା ସତ୍ୱେ ମଧ୍ୟ ଜିନପିଙ୍ଗଙ୍କ ପ୍ରତି ଜନଅସେନ୍ତାଷ ବଢ଼ିବାରେ ଲାଗିଛି ।

ମହାମାରୀର ପ୍ରଥମ ଲହରରେ ଚୀନର କୋଭିଡ୍ ନୀତି ସଫଳ ହେବା ପରେ ସେଠାକାର ସରକାରୀ ଗଣମାଧ୍ୟମ ଜିନପିଙ୍ଗ ସରକାରଙ୍କ ଖୁବ୍ ପ୍ରଚାର ପ୍ରସାର କରିଥିଲେ । କିନ୍ତୁ ସେହି ପ୍ରଚାର ଏବେ ମାଟିରେ ମିଶିସାରିଛି । କାରଣ ଏବେ ସେହି ନୀତି ଚୀନକୁ ମହାମାରୀ ଆଗରେ ଦୁର୍ବଳ ଓ ଅସହାୟ କରିଦେଇଛି । ଏବେ ଜିନପିଙ୍ଗ କେବଳ ସାମାଜିକ ଓ ଆର୍ଥିକ ନୁହେଁ ବରଂ ରାଜନୈତିକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ।

କରୋନାକୁ ରୋକିବା ପାଇଁ ଚୀନ୍ ନିଜ ଦେଶରେ ଯେଉଁ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା, ତାହା ଫଳପ୍ରଦ ହୋଇପାରିନାହିଁ । ଏପରିକି ଚୀନ୍ ମଧ୍ୟ ବିଦେଶୀ ଟିକା ଉପରେ ସନ୍ଦେହ ପ୍ରକଟ କରିଥିଲା । ଚୀନରେ ଆରମ୍ଭରୁ ହିଁ ଟିକାକରଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଆସିଛି । ସରକାର ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସ ବର୍ଗଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କରିଥିଲେ । କିନ୍ତୁ ବୟସ୍କ ଟିକା ନେବାକୁ ଏବେବି ଅନିଚ୍ଛା ଦେଖାଉଛନ୍ତି । ହେଲେ ଗତ ଦୁଇମାସ ଧରି ସରକାର ଦେଶରେ ବୟସ୍କଙ୍କୁ ଟିକାକରଣ ଉପରେ ଜୋର ଦେଉଥିବା ଦେଖିବାକୁ ମିଳିଛି ।

ଜିନପିଙ୍ଗଙ୍କ କଟକଣା ପାଇଁ ସମସ୍ୟା?
– ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଂକଟ
– ଦେଶରେ ବଢ଼ୁଛି ବେକାରୀ ସମସ୍ୟା
– ସହରରେ ବେକାରୀଙ୍କ ଯୁବକଙ୍କ ହାର ୧୮%
– ଘରୋଇ ଉଡ଼ାଣ ହାର ୪୫% ହ୍ରାସ
– ସିନେମା ହଲରେ ବକ୍ସ ଅଫିସ୍ କଲେକ୍ସନ ୬୪% ହ୍ରାସ
– କୋଭିଡ୍-୧୯ ଟେଷ୍ଟିଂରେ ଚଳିତ ବର୍ଷ ଜିଡିପିର ୧.୫% ଖର୍ଚ୍ଚ
– ଟେଷ୍ଟିଂ ପିଛା ୩୫ କମ୍ପାନୀ ନେଇଛନ୍ତି ୧ଲକ୍ଷ ୭୦ହଜାର ଟଙ୍କା
– ମହଙ୍ଗା ହେଉଛି ରୋଗ ନିୟନ୍ତ୍ରଣ ବ୍ୟବସ୍ଥା

ମହାମାରୀକୁ ନିୟନ୍ତ୍ରଣ କରିବା ଓ ଜନତାଙ୍କ ଆକ୍ରୋଶକୁ କିପରି ସାମ୍ନା କରିବେ, ତାହା ଜିନପିଙ୍ଗଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ତିନି ଦଶନ୍ଧି ପରେ କମ୍ୟୁନିଷ୍ଟ ସରକାରକୁ ଏବେ ବଡ଼ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଲୋକଙ୍କ ଭରସା କିପରି ଜିତିବେ, ତା’ ଉପରେ ସରକାର ଗୁରୁତ୍ୱ ଦେବା ଦରକାର ।