ନିର୍ବାଚନ ଆଗ, ବିଧାନସଭା ପଛ: ପରସ୍ପର ଉପରେ ଦୋଷ ଲଦିଲେ ଶାସକ ଓ ବିରୋଧୀ

70

କନକ ବ୍ୟୁରୋ: ପଦ୍ମପୁର ପ୍ରଚାରରେ ବ୍ୟସ୍ତ ରହିଲେ ମନ୍ତ୍ରୀ ଓ ବିଧାୟକ । ଏପଟେ ବିଧାନସଭା ପଡିଲା ଖାଁ ଖାଁ । ଯେଉଁ କିଛି ଦିନ ବିଧାନସଭା ଚାଲିଲା, ଆଲୋଚନା ଅପେକ୍ଷା ହଟ୍ଟଗୋଳ ଅଧିକ ଦେଖିବାକୁ ମିଳିଲା । କେତେବେଳେ ବିରୋଧୀ ତ କେତେବେଳେ ଶାସକ ଦଳର ସଦସ୍ୟ ବିଧାନସଭା ଚଲାଇ ଦେଲେନି । ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରଖାଯାଇଥିଲା । ଡିସେମ୍ବର ୩୧ ଯାଏଁ ଚାଲିଥାନ୍ତା ବିଧାନସଭା । କିନ୍ତୁ ୮ଟି କାର୍ଯ୍ୟଦିବସ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୂଲତବୀ ଘୋଷଣା କଲେ ବାଚସ୍ପତି ।

ବିଧାନସଭାରେ ନୀତି ନିର୍ଦ୍ଧାରଣ ହୁଏ । ବିଧାନସଭାର ପ୍ରତି ମୁହୂର୍ତ ଗୁରୁତ୍ୱପୂର୍ଣ୍ଣ । ବଡ଼ ବଡ଼ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ବିତର୍କ ହୁଏ । ରାଜ୍ୟ ବିକାଶର ମୂଳଦୂଆ ପଡ଼େ । କିନ୍ତୁ ଏବେ ନେତାଙ୍କ ଫୋକସ ହୋଇଯାଇଛି ଭୋଟ ରାଜନୀତି ।

ବିଧାନସଭା ଶୀତ ଅଧିବେଶନ ଅଧାରେ ଶେଷ ହେବା ନେଇ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ । ଶାସକ ଦଳର ମୁଖ୍ୟ ସଚେତକଙ୍କ କହିକା କଥା ଆଲୋଚନା ପାଇଁ ବିରୋଧୀ ସଦସ୍ୟ ଆସିଲେ ନାହିଁ । ତେବେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ କହିଛନ୍ତି ରାଜ୍ୟ ସରକାର ଜାଣିଶୁଣି ଗୃହକୁ ଆଗୁଆ ବନ୍ଦ କରି ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀମାନେ ବିଧାନସଭାରେ ଉପସ୍ଥିତ ରହିଲେ ନାହିଁ । ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଲୋକଙ୍କ ପାଖକୁ ଯିବ ବୋଲି କହିଛି ବିଜେପି । ଏପଟେ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି କଂଗ୍ରେସ ।

ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଏତେ ଗୁରୁତ୍ୱର ସହ ନେତା ନେଇଥିଲେ ଯେ ବିଧାନସଭା ସେମାନଙ୍କ ପାଇଁ ପଛ ହୋଇ ଯାଇଥିଲା । ପ୍ରଚାରରେ ବ୍ୟସ୍ତଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ପ୍ରଥମେ ନିର୍ବାଚନ ପରେ ବିଧାନସଭା । ଅବଶ୍ୟ ପରେ ଏହାକୁ ସଂଶୋଧନ କରିଥିଲେ । ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ କହିଥିଲେ, ବିଧାନସଭା ଚଳାଇବା ଶାସକ ଦଳର କାମ ।

ଗୋଟିଏ ବର୍ଷରେ ଅତି କମ୍ରେ ୬୦ ଦିନ ବିଧାନସଭା ଚାଲିବା କଥା । ତେବେ ସରକାରୀ କାର୍ଯ୍ୟ ନଥିଲେ ଏହାକୁ କମା ଯାଇପାରିବ ବୋଲି ଯୁକ୍ତି ଦର୍ଶାଯାଇଥିଲା । ସବୁଠୁ ବଡ଼ କଥା ହେଉଛି, ନିର୍ଦ୍ଧାରିତ କାର୍ଯ୍ୟଦିବସ ଠାରୁ ଅଳ୍ପ କିଛି ଦିନ ପୂର୍ବରୁ ଅଧିବେଶନ ଶେଷ ହେଉଥିଲା । କିନ୍ତୁ ଏଥର ମାତ୍ର ୮ ଦିନ ଚାଲିପାରିଲା ବିଧାନସଭା ।