ଚାଲାଣ କଟିବ କେବେ? ସିସିଟିଭି ଫୁଟେଜ ଦେଖିବା ପରେ ଶୋଇପଡିଛି କି କମିଶନରେଟ ପୋଲିସ । ସାଧାରଣ ଲୋକଙ୍କୁ ସାଙ୍ଗେ ସାଙ୍ଗେ ଫାଇନ୍,ନେତା ଓ କର୍ମୀଙ୍କ ନାଁରେ ଚାଲାଣ କାଟିବାକୁ ହାତ ଯାଉନି କାହିଁକି?

233

କନକ ବ୍ୟୁରୋ : ଆମେ ସିସିଟିଭିରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ହୋଇଥିବାର ଫୁଟେଜ ଦେଖିଛୁ । ବିନା ହେଲମେଟରେ ଗାଡି ଚଲାଇ ଟ୍ରାଫିକ ନିୟମ ଉଲ୍ଲଂଘନ କରାଯାଇଛି । ତେଣୁ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ । କନକ ନ୍ୟୁଜରେ ଟ୍ରାଫିକ ପୋଲିସର ସିସିଟିଭି ଶୋଇପଡିଛି କି ଖବର ପ୍ରସାରଣ ପରେ ଗତ ୨୮ ତାରିଖରେ ଟ୍ୱିଟ୍ କରି ଏଭଳି ପ୍ରତିକ୍ରିୟା ରଖିଥିଲା କମିଶନରେଟ ପୋଲିସ । ଟ୍ୱିଟ୍ କରିବାର ଏହା ଭିତରେ ୪୮ ଘଣ୍ଟାରୁ ଅଧିକ ସମୟ ହୋଇସାରିଲାଣି । କିନ୍ତୁ ଏଯାଏଁ ବୋଧହୁଏ ଫଳ ଶୂନ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଚାଲାଣ କଟାଯାଇଛି କି ନାହିଁ ତାହା ସ୍ପଷ୍ଟ କରାଯାଉନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।

ଘଟଣାଟି କିଛି ଏଭଳି ଥିଲା, ଗତ ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସରେ ଶହ ଶହ ସଂଖ୍ୟାରେ ଯୁବକ ମାନେ ବାଇକ ରାଲି କରି ପାର୍ଟି ଅଫିସରେ ପହଞ୍ଚିଥିଲେ । କିନ୍ତୁ ଅଧିକାଂଶ ବାଇକ ଚାଳକ ବିନା ହେଲମେଟରେ ରାଲିରେ ଆସି ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ । କେବଳ ବିଜେଡି ରାଲି କାହିିଁକି କଂଗ୍ରେସର ବିରୋଧ ପ୍ରଦର୍ଶନ ବେଳେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ସେମାନଙ୍କୁ ବାଟ କଢାଇ ନେବାରେ ସହାୟତା କରିଥିଲେ ପୋଲିସ ଓ ଟ୍ରାଫିକ ଅଧିକାରୀ । କାରଣ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଯୁବକଙ୍କ ପଛରେ ବସିଥିଲେ ଦଳୀୟ ନେତା ।

ଏହି ରାଲିର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରାଫିକ ଓ ପୋଲିସ ଅଧିକାରୀଙ୍କ ଦୋମୁହାଁ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଲୋକେ । ସାଧାରଣ ଜନତାଙ୍କୁ ସଜା, ଦଳୀୟ ନେତା ଓ କର୍ମୀଙ୍କୁ କଣ ସାତ ଖୁନ୍ ମାଫ୍ । ଯେତେବେଳେ ସାଧାରଣ ଲୋକଟିଏ ନିୟମ ଉଲ୍ଲଂଘନ କଲେ ହଜାର ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡୁଛି ସେତେବେଳେ ଦଳୀୟ ନେତା ଓ କର୍ମୀଙ୍କୁ କାହିଁକି ଛାଡ କରାଯିବ । ନା ଏମାନଙ୍କ ଠାରୁ ଚାଲାଣ କାଟିବାକୁ ସାହସ ଜୁଟାଇ ପାରୁନାହାନ୍ତି ପୋଲିସ ଓ ଟ୍ରାଫିକ ଅଧିକାରୀ । ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ପୋଲିସ ଠାରୁ ଓଡିଶା ପୋଲିସର ଶିଖିବାର ଆବଶ୍ୟକତା ରହିଛି । ଉତ୍ତର ପ୍ରଦେଶ ପୋଲିସ ଯେଉଁଠି ପ୍ରିୟଙ୍କା ଗାନ୍ଧି ବସିଥିବା ସ୍କୁଟିକୁ ମଧ୍ୟ ଛାଡୁନାହିଁ ଏପରିକି ନିୟମ ଭାଙ୍ଗିବା କାରଣରୁ ଚାଲାଣ କାଟିବାକୁ ପଛାଉ ନାହିଁ ସେଭଳି ସ୍ଥିତିରେ ଓଡିଶା ପୋଲିସ ସିସିଟିଭି ଫୁଟେଜ ଦେଖି ଚୁପ୍ କାହିଁକି?

ସିସିଟିଭିରେ ଟ୍ରାଫିକ ନିୟମ ଉଲ୍ଲଂଘନ ହୋଇଥିବାର ଫୁଟେଜ ଦେଖିସାରିବା ପରେ ମଧ୍ୟ କାହିଁକି ନିୟମ ଉଲ୍ଲଂଘନକାରୀଙ୍କ ନାଁରେ କଟାଯାଉନି ଚାଲାଣ । ଯେତେବେଳେ ଓଲିଉଡ ଅଭିନେତା ବାବୁସାନ ବିନା ହେଲମେଟରେ ରାତିରେ ଗାଡି ଚଲାଉଥିବାର ଭିଡିଓ ଦେଖି ତାଙ୍କ ନାଁରେ ଚାଲାଣ କଟାଯାଉଛି ସେତେବେଳେ ଦିନ ଦ୍ୱିପ୍ରହରରେ ନିୟମ ଉଲ୍ଲଂଘନ କରିଥିବା ଯୁବକଙ୍କ ଠିକଣାରେ କେବେ ପହଞ୍ଚିବ ଚାଲାଣ ତାହା ଦେଖିବା ବାକି ରହିଲା ।