ରାଜ୍ୟରେ ନାହିଁ ବନ୍ୟା ବିପଦ! ଜଳସମ୍ପଦ ସଚିବ କହିଲେ, ସନ୍ଧ୍ୟାସୁଦ୍ଧା ସ୍ୱାଭାବିକ ହୋଇଯିବ ସ୍ଥିତି ।

242

କନକ ବ୍ୟୁରୋ: ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍, ବଡ଼ ବନ୍ୟାର ସମ୍ଭାବନା ନାହିଁ ବୋଲି କହିଲେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା । ଗତ ୧୪ ତାରିଖ ଦିନ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ଏହାପରେ ପର୍ଯ୍ୟାୟକ୍ରମେ ମୋଟ୍ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଆଜି ହୀରାକୁଦର ୧୦ଟି ଗେଟ୍ ବନ୍ଦ କରାଯାଇଛି । ତେବେ ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍ ବନ୍ଦ କରାଯିବ ବୋଲି କହିଛନ୍ତି ଜଳ ସମ୍ପଦ ସଚିବ ।

ସେପଟେ ସନ୍ଧ୍ୟାସୁଦ୍ଧା ରାଜ୍ୟର ବିଭିନ୍ନ ଶାଖା ନଦୀରେ ଉପୁଜିଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିରେ ସୁଧାର ଆସିଯିବ ବୋଲି କହିଛନ୍ତି ଜଳ ସମ୍ପଦ । ଅନ୍ୟପଟେ ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗନ୍ନ ହୋଇଯାଇଛି । ମହାନଦୀ ଅବବାହିକାର ୮୬ଟି ସ୍ଥାନ ବିପଦପୂର୍ଣ୍ଣ ଥିଲା କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ପରିମାଣ କମ୍ ରହିଛି । ଯାହାଦ୍ୱାରା କୌଣସି ବିପଦ ନାହିଁ ବୋଲି କହିଛନ୍ତି ଯୁଗ୍ମ ଏସଆରସି ପ୍ରଭାତ କୁମାର ମହାପାତ୍ର ।

ଆଜି ରାତି ସୁଦ୍ଧା ମୁଣ୍ଡଳିରେ ପହଁଞ୍ଚିବ ହୀରାକୁଦ ଛାଡିଥିବା ବନ୍ୟା ପାଣି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ ମୁଣ୍ଡଳି ନିକଟରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ହୀରାକୁଦ ଡ୍ୟାମରୁ ୨୦ଟି ଗେଟ୍ ଦେଇ ଗତକାଲି ଛଡାଯାଇଛି ପାଣି । ତେଣୁ ଏହି ପାଣି ପ୍ରବେଶ କଲେ ମହାନଦୀ ଆହୁରି ଫୁଲିବା ସମ୍ଭାବନା ରହିଛି । ଫଳରେ ତଳିଆ ଅଂଚଳ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଦଶମିକ୍ ଆଠ ସାତ ଫୁଟ ରହିଛି ।