ଭାରତ ଗହମକୁ ଖରାପ କହି ଫେରାଇ ଦେଲା ତୁର୍କୀ । ଦେଶ ଖୋଜୁଛି ଅନ୍ୟ ବ୍ୟବସ୍ଥା

2,007

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ ଯୁଦ୍ଧ କାରଣରୁ ଉପୁଜୁଥିବା ଗହମ ସଙ୍କଟ ମଧ୍ୟରେ ଭାରତକୁ ତୁର୍କୀ ଗହମ ଫେରାଇ ଦେଇଛି । ତୁର୍କୀ କହିଛି ଯେ, ଭାରତରେ ଗହମରୁ ରୁବେଲା ଭାଇରସ୍ ମିଳିଛି । ଭାରତର ଗହମରେ ଫାଇଟୋସେନିଟାରୀ ସମସ୍ୟା ରହିଛି । ଏହାପରେ ଗତ ୨୯ ତାରିଖରେ ଭାରତରୁ ଯାଇଥିବା ଗହମ ଫେରାଇ ଦେଇଛି ।

ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସର ରିପୋର୍ଟ ମୁତାବକ, ଜାହାଜରେ ୫୬,୮୭୭ ଟନ୍ ଗହମ ଭାରତରୁ ତୁର୍କୀକୁ ରପ୍ତାନୀ ହୋଇଥିଲା । ଏବେ ଏହି ଜାହାଜକୁ ତୁର୍କୀରୁ ଗୁଜୁରାଟର କାନ୍ଧଲା ବନ୍ଦରକୁ ଫେରାଇ ଦିଆଯାଇଛି । ଇସ୍ତାନବୁଲର ଜଣେ ବ୍ୟବସାୟୀ କହିଛନ୍ତି ଯେ, ଭାରତର ଗହମରେ ରୁବେଲା ଭାଇରସ୍ ମିଳିଛି । ଏହି କାରଣରୁ ତୁର୍କୀର କୃଷି ମନ୍ତ୍ରଣାଳୟ ଏହି ଗହମ ଜାହାଜକୁ ଗ୍ରହଣ କରିବାକୁ ମନାକରିଦେଇଛନ୍ତି ।

ଚଳିତ ବର୍ଷ ଲୁ ପ୍ରବାହ ଯୋଗୁଁ ଦେଶରେ ଗହମ ରପ୍ତାନୀ ହ୍ରାସ ପାଇଥିବାବେଳେ ବିଦେଶକୁ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ଭାରତ ସରକାର । ହେଲେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଇକୋନୋମିକ୍ ଫୋରୋମରେ ଏହାର ମୁଖ୍ୟ ଭାରତର ଏପରି ଅଭିମୁଖ୍ୟକୁ ଭୁଲ ବୋଲି ଦର୍ଶାଇବା ସହ ଏହା ଉପରେ ପୁନର୍ବାର ବିଚାର କରିବାକୁ ମୋଦୀ ସରକାରଙ୍କୁ ନିବେଦନ କରିଥିଲେ । କାରଣ ଭାରତର ଏପରି ନିଷ୍ପତ୍ତିରେ ପରୋକ୍ଷ ଭାବେ ଅନେକ ରାଷ୍ଟ୍ରରେ ଖାଦ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥିବା ସେ କହିଥିଲେ । ଏହାପରେ ଭାରତ ବିଭିନ୍ନ ଦେଶକୁ ଗହମ ରପ୍ତାନୀ କରିଛି । ତୁର୍କୀ ସହ ମିଶରକୁ ଭାରତ ୬୦୦୦୦ ଟନ୍ ଗହମ ପଠାଇଛି ।