ଉପନିର୍ବାଚନ ଜିତିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ। ୬୧୦୪ ଖଣ୍ଡ ଭୋଟରେ ମାଣିକ ଶାହା ବିଜୟୀ।

220

କନକ ବ୍ୟୁରୋ : ଉପନିର୍ବାଚନରେ ବିଜୟୀ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା । ଟାଉନ ବାରଦୋବଲି ଆସନରେ ହୋଇଥିବା ଉପନିର୍ବାଚନରେ ସେ ୬୧୦୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶାହାଙ୍କୁ ୧୭,୧୮୧ ଭୋଟ ମିଳିଥିବା ବେଳେ ମୋଟ ୫୧.୬୩ ପ୍ରତିଶତ ଭୋଟ ତାଙ୍କ ସମର୍ଥନରେ ପଡିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଆଶିଷ କୁମାର ଶାହାଙ୍କୁ ୧୧ ହଜାର ୭୭ ଖଣ୍ଡ ପାଇଛନ୍ତି । ମୋଟ ୩୩.୨୯ ପ୍ରତିଶତ ଭୋଟ ସେ ପାଇଛନ୍ତି । ଫରୱାର୍ଡ ବ୍ଲକ ପ୍ରାର୍ଥୀ ତୃତୀୟ ସ୍ଥାନରେ ଥିବା ବେଳେ ତାଙ୍କୁ ୩ ହଜାର ୩୭୬ ଭୋଟ ମିଳିଛି ।

ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଇସ୍ତଫା ପରେ ରାଜ୍ୟସଭା ସାଂସଦ ଥିବା ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରହିବା ପାଇଁ ତାଙ୍କୁ ଉପନିର୍ବାଚନ ଜିତିବାର ଆବଶ୍ୟକତା ରହିଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।