ମହିଳାଙ୍କୁ ଋଣଯନ୍ତାରେ ଫସାଇଲା ମହାମାରୀ : ପର୍ଯ୍ୟାପ୍ତ ଆୟ ନଥିବାରୁ ୩୩% ମହିଳା ବର୍ତ୍ତମାନ ଋଣଗ୍ରସ୍ତ

64

କନକ ବ୍ୟୁରୋ : ମହିଳାଙ୍କୁ ଋଣଯନ୍ତାରେ ଫସାଇଛି ମହାମାରୀ। ପର୍ଯ୍ୟାପ୍ତ ଆୟ ନଥିବାରୁ ୩୩ ପ୍ରତିଶତ ମହିଳା ବର୍ତ୍ତମାନ ଋଣଗ୍ରସ୍ତ। ସେଥିରେ ପୁଣି ଛଟେଇ ଏବଂ ଖାଦ୍ୟ ପାଇଁ ଋଣକୁ ମିଶାଇଲେ ଏହା ୪୫ ପ୍ରତିଶତ ହେବ। ମହାମାରୀ ପୂର୍ବରୁ ୫ ହଜାରରୁ କମ ବେତନ ଥିବା ୩୩.୪୩ପ୍ରତିଶତ ମହିଳା ଋଣ କରୁଥିଲେ। ବର୍ତ୍ତମାନ ତାହା ୫୨.୧୩ ପ୍ରତିଶତକୁ ପହଞ୍ଚିଛି । ଏହାର ଫାଇଦା ଉଠାଇ ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ ସଂସ୍ଥା ୩୫ ପ୍ରତିଶତରୁ ଅଧିକ ସୁଧରେ ମଧ୍ୟ ଋଣ ଦେଇଛି ।

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଦିଲ୍ଲୀ, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, କର୍ଣ୍ଣାଟକ ସମେତ ୧୩ରାଜ୍ୟ ଅନ୍ତର୍ଗତ ୯୨ଟି ଜିଲ୍ଲାର ୨୭୦୧ ମହିଳାଙ୍କୁ ନେଇ କରାଯାଇଥିବା ନମୁନା ସର୍ଭେରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । ଇଡ୍‌କଲ ଅଡିଟୋରିୟମ୍‌ରେ ଆୟୋଜିତ ଦେଶର ବିଶିଷ୍ଟ ନାରୀନେତ୍ରୀ ସୁଶିଳା ଗୋପାଳନ୍‌ ସ୍ମାରକୀ ବକ୍ତୃତାରେ ଏହି ରିପୋର୍ଟ ଉନ୍ମୋଚିତ ହୋଇଛି ।

ରିପୋର୍ଟ ଅନୁଯାୟୀ, ସର୍ଭେ କରାଯାଇଥିବା ୯୦ ପ୍ରତିଶତ ଋଣଗ୍ରସ୍ତ ମହିଳାଙ୍କ ମାସିକ ଆୟ ୧୫ହଜାରରୁ କମ୍‌ । ବ୍ୟାଙ୍କ ଅପେକ୍ଷା ଅର୍ଥଲଗାଣକାରୀ ଅଣବ୍ୟାଙ୍କିଙ୍ଗ ସଂସ୍ଥା ମହିଳାଙ୍କୁ ଋଣ ପ୍ରଦାନର ମୁଖ୍ୟସ୍ରୋତ ସାଜିଛି । ଅର୍ଥାତ ବ୍ୟାଙ୍କଠାରୁ ୨୧.୫ ପ୍ରତିଶତ, ଅର୍ଥଲଗାଣକାରୀ ସଂସ୍ଥାଠାରୁ ୨୯.୭ ପ୍ରତିଶତ, ମହାଜନଠାରୁ ୧୧.୬ ପ୍ରତିଶତ, ବନ୍ଧୁ ଏବଂ ପରିବାରଠାରୁ ୧୫.୧ ପ୍ରତିଶତ, ସରକାରୀ ଯୋଜନାରୁ ୧୮.୪ ପ୍ରତିଶତ, ଅନ୍ୟ ସୂତ୍ରରୁ ୩.୬ ପ୍ରତିଶତ ଋଣ ନେଇଛନ୍ତି । କେରଳରେ ସର୍ବାଧିକ ସଂଖ୍ୟକ ବ୍ୟାଙ୍କକୁ ଭରସା କରିଛନ୍ତି । ଓଡ଼ିଶା, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ହରିୟାଣାରେ ଏସକେଏସ, ସ୍ପନ୍ଦନ ଭଳି ଘରୋଇ ଅର୍ଥଲଗାଣକାରୀ ସଂସ୍ଥାଙ୍କ କାରବାର ବେଶି ହୋଇଛି ।

ତେଲେଙ୍ଗାନାରେ ଆଜି ବି ୯୦ ପ୍ରତିଶତ ମହିଳା ମହାଜନଙ୍କଠାରୁ କରଜ ନେଉଛନ୍ତି । ଏଥିରୁ ୩୦ପ୍ରତିଶତ ମହିଳା ଏକାଧିକ ସଂସ୍ଥା ଠାରୁ ଋଣ କରୁଛନ୍ତି। କେରଳର କୁଟୁମ୍ବଶ୍ରୀ ଭଳି ସରକାରୀ ଯୋଜନା କମ ସୁଧରେ ଋଣ ଦେଇ ଲୋକଙ୍କୁ ଉପକୃତ କରୁଛି। ତାମିଲନାଡ଼ୁରେ ଅନେକ ମହିଳା କ୍ଷୁଦ୍ର ବ୍ୟବସାୟ ଆରମ୍ଭ ପାଇଁ ସରକାରୀ ଯୋଜନାରୁ ଋଣ କରୁଛନ୍ତି କିନ୍ତୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ଅନ୍ୟ ସୂତ୍ରରୁ କରଜ କରୁଛନ୍ତି । ୯୪୭ ଜଣ ମହିଳାଙ୍କ ମଧ୍ୟରୁ ୩୯୦ଜଣ ୧୨ ପ୍ରତିଶତ, ୩୮୨ ଜଣ ୧୨ରୁ ୨୪ ପ୍ରତିଶତ, ୯୩ ଜଣ ୨୫ରୁ ୩୫ ପ୍ରତିଶତ, ୮୨ ଜଣ ୩୫ ପ୍ରତିଶତରୁ ଅଧିକ ସୁଧରେ ଋଣ ନେଇଥିବା ଦର୍ଶାଇଛନ୍ତି ।

କେବଳ ସରକାରୀ ଯୋଜନାରୁ ୧୨ ପ୍ରତିଶତ କିମ୍ବା କମ ହାର ସୁଧରେ ଋଣ ମିଳିଛି । ଅନ୍ୟ ସମସ୍ତେ ମନଇଚ୍ଛା ଦରରେ ସୁଧ ନେଇଛନ୍ତି । ନମୁନା ସର୍ଭେ ଅନୁସାରେ, ୫୦.୧୩ ପ୍ରତିଶତ ଦିନମଜୁରିଆ ମହିଳା ଋଣଗ୍ରସ୍ତ । ଏଥିରୁ ସ୍ପଷ୍ଟ ଯେ କୋଭିଡ୍‌ ପରେ ସେମାନଙ୍କ ଅବସ୍ଥା ବେଶି ଦୟନୀୟ ହୋଇଛି । ଘରୋଇ କାର୍ଯ୍ୟକରୁଥିବା ୧୧.୯୨ ପ୍ରତିଶତ ଓ ୮.୨୩ ପ୍ରତିଶତ କୃଷି ଶ୍ରମିକ କରଜରେ ବୁଡ଼ିଛନ୍ତି । ୫୦.୩୬ ପ୍ରତିଶତ କରଜ କରିଥିବା ମହିଳାଙ୍କ ପରିବାର ଜଣଙ୍କ ଆୟ ଉପରେ ନିର୍ଭରଶୀଳ । ୩୬.୩୭ ପ୍ରତିଶତ ପରିବାରରେ ଦୁଇ ଜଣ, ୯.୬୨ ପ୍ରତିଶତଙ୍କ ଦୁଇରୁ ଅଧିକ ଜଣ ଆୟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।