ରାଜଧାନୀରେ ଚାରିଆଡେ ଗଛମୂଳକୁ କରିଦିଆଯାଉଛି କଂକ୍ରିଟ୍ । ପାଣି ନପାଇ ମରିଯାଉଛି ବଡ ବଡ ଗଛ । ରାଜଧାନୀରେ ଅଣନିଶ୍ୱାସୀ ଗଛ ।

185

କନକ ବ୍ୟୁରୋ: ଗଛ ଚାରିପଟେ କଂକ୍ରିଟ । ଅଣନିଶ୍ୱାସୀ ହୋଇପଡ଼ୁଛି ଗଛ । ଭୁବନେଶ୍ୱର ସହରରେ ଏବେ ରାସ୍ତା କାମ ଓ ଫୁଟପାଥ ତିଆରି ବେଳେ ରାସ୍ତା କଡ଼ ଗଛ ମୂଳ ଚାରି ପଟେ କଂକ୍ରିଟ ଓ ଟାଇଲ ବିଛାଇ ହୋଇଯାଉଥିବା ଦେଖାଯାଉଛି । ବିଶେଷକରି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଆଗରେ ଏଭଳି ଅନେକ ଗଛ ମୂଳକୁ ଟାଇଲ୍ ଓ ସିମେଣ୍ଟରେ ବନ୍ଦ କରିଦିଆଯାଇଥିବା ଦେଖାଯାଇଛି । ଗଛ ମୂଳକୁ ସିମେଣ୍ଟରେ ବନ୍ଦ କରିଦିଆଗଲେ ଗଛଗୁଡ଼ିକ ଉପଯୁକ୍ତ ଭାବେ ବଢ଼ିପାରିବେ ନାହିଁ । ଏହାଦ୍ୱାରା ଗଛଗୁଡ଼ିକ ମାଟି ତଳୁ ଅଧିକ ପାଣି ଟାଣି ନ ପାରି ମରିଯିବାର ଆଶଙ୍କା ରହିଛି ।

ଦିଲ୍ଲୀରେ ଗଛ ଚାରିପଟେ ଅନ୍ତତଃ ୧ ମିଟର ବ୍ୟାସାର୍ଦ୍ଧରେ ମାଟି ଛାଡ଼ିବା ପାଇଁ ୨୦୧୩ ମସିହାରେ ଜାତୀୟ ଗ୍ରୀନ ଟ୍ରିବୁନାଲ- ଏନଜିଟି ନିର୍ଦ୍ଦେଶ ଦେଇଥିଲେ । ଏବେ ଖିଲାପକାରୀ ପୂର୍ତ୍ତ ବିଭାଗ ବିରୋଧରେ ୩୮ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି କୋର୍ଟ । ଏହି ଜୋରିମାନାକୁ ଆଦାୟ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବୁନାଲ । ଓଡ଼ିଶାରେ ବି ସେମିତି ବନ ବିଭାଗ ଓ ପୂର୍ତ୍ତ ବିଭାଗ ଏ ନେଇ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ବୁ୍ଦ୍ଧିଜୀବୀ ।