ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି

154

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତି ହୋଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି କମିଟି । ତେବେ ନୀତି ତ୍ୱରାନ୍ୱିତ କରିବାକୁ ନବ ଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଏହାସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୭ତାରିଖ ଅପରାହ୍ନ ୫ଟାରେ ଟଣାଯିବ ରଥ । ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ୫୩ ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି । ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଏଥର ଦୁଇ ଦିନ ଧରି ରଥଟଣା ଯିବ । ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଜୁଲାଇ ୭ତାରିଖ ଅପରାହ୍ନରେ ରଥ ଟାଣିବାକୁ ନିଷ୍ପତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏଥର ୧୫ ଦିନ ପରିବର୍ତେ ୧୩ ଦିନ ଅଣସର ନୀତି ହେବ । ସେହିପରି ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ ।