ଯାଜପୁର: ଟ୍ରେନ ଚକା ତଳେ ଜୀବନ ଗଲା, ବେସାହାରା ହେଲା ପରିବାର । ରୋଜଗାରିଆ ପୁଅଙ୍କ ମୃତ୍ୟୁ ପରେ କେମିତି ଚଳିବେ ପରିବାର? ସେପଟେ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ

261

କନକ ବ୍ୟୁରୋ: ଯାଜପୁର ରୋଡରେ ମାଲବାହୀ ୱାଗନ୍ ମାଡିଯାଇ ୬ ନିରୀହ ଜୀବନ ନେଇ ଯାଇଛି । ପରିବାରର ରୋଜଗାରିଆ ଲୋକର ମୃତ୍ୟୁ ପରେ ଏବେ ଘରେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ଆଉ ଏହାରି ଭିତରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇଦେବାପାଇଁ ଚାଲିଛି ପ୍ରୟାସ ।

ସବୁଦିନ ଭଳି ମଜୁରୀ ଲାଗିବାକୁ ଯାଇଥିଲେ, ଘର ଲୋକ ଖରାବେଳେ ଖାଇବାକୁ ଟିଫିନରେ ଭାତ ଭର୍ତ୍ତି କରି ଦେଇଥିଲେ । କହିଯାଇଥିଲେ ବେଳାବେଳି ଘରକୁ ଫେରି ଆସିବେ । ହେଲେ ଯିବାବେଳେ ଜାଣିନଥିଲେ ଯେଉଁଠିକୁ କାମ କରିବାକୁ ଯାଉଛନ୍ତି, ସେଠି ଜଗି ବସିଥିଲା ଯମ । ଆଉ ଏମିତି ହଠାତ୍ ଚାଲିଯିବ ଜୀବନ ।

ଘରର ଏକମାତ୍ର ରୋଜଗାରିଆ ମଣିଷର ମୃତ୍ୟୁ ଘଟିଛି । କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଅଞ୍ଚଳ । ସ୍ତବ୍ଧ ହୋଇଯାଇଛନ୍ତି ସମ୍ପର୍କୀୟ ଓ ପରିଜନ । ଆଖିରୁ ଶୁଖୁନି ଲୁହ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସେମାନେ ସମସ୍ତେ ଦିନ ମଜୁରିଆ ଥିଲେ । ମୂଲ ଲାଗିଲେ ପରିବାର ଚଳେ । ଦିନେ କାମକୁ ନଗଲେ ଚଳିବା ମୁସ୍କିଲ । ଆଉ ସେଥିପାଇଁ ତ ଅସହ୍ୟ ତାତିରେ ବି, କାମ କରିବାକୁ ଯାଇଥିଲେ ଏହି ଶ୍ରମିକମାନେ ।

ବିଡମ୍ବନାର ବିଷୟ ହେଉଛି, ଅଚାନକ କାଳବୈଶାଖୀ ଝଡ ବର୍ଷା ଆସିବାରୁ, ସେମାନେ ଅନ୍ୟ ଦିନ ମାନଙ୍କ ଭଳି, ବୁଧବାର ବି ମାଲଗାଡିର ୱାଗନ ତଳେ ଆଶ୍ରୟ ନେଇଥିଲେ । ହେଲେ, ଅଚାନକ ଗଡିବା ଆରମ୍ଭ କରିବା ସହ ତଳେ ଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା । ଶବ ବ୍ୟବଛେଦ ପରେ ମୃତକଙ୍କୁ ଅନ୍ତିମ ସଂସ୍କାର କରାଯାଇଛି ।

ୱାଗନ ମାଡି ଯାଇ ୬ଜଣଙ୍କ ମୃତ୍ୟୁ ହେବା ପରେ, ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୃତକଙ୍କ ପରିବାରକୁ ଭେଟି ୨୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ମୃତକଙ୍କ ପରିବାରକୁ ଯାଇ ଭେଟିଛନ୍ତି । ସମସ୍ତ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ତତ୍ପର ହୋଇଛି । ଟ୍ରାକରେ ରହୁଥିବା ବଗି ପାଇଁ ଚେନ୍ ଲକିଂ ବ୍ୟବସ୍ଥା କରିଛି । ତେବେ ପୂର୍ବରୁ କାହିଁକି ଚେନ ଲକିଂ ବ୍ୟବସ୍ଥା କରାଯାଇ ନଥିଲା, ସେ ନେଇ ପ୍ରଶ୍ନ ଉଠିଛି । ହୁଏତ ପୂର୍ବରୁ ଏଭଳି ଚେନ୍ ଲକିଂ ବ୍ୟବସ୍ଥା ହୋଇଥିଲେ, ୬ଜଣଙ୍କ ଜୀବନ ବଞ୍ଚିଯାଇଥାନ୍ତା ।