ଆମାଜନ ଜଙ୍ଗଲ ମଧ୍ୟରେ ରାଜପଥ ନିର୍ମାଣ କରିବେ ବ୍ରାଜିଲ ସରକାର । ଲକ୍ଷ ଲକ୍ଷ ଗଛ କଟାଯିବା ନେଇ ଆଶଂକା

246

କନକ ବ୍ୟୁରୋ : ବ୍ରାଜିଲ ସରକାର ବିଶ୍ୱର ସବୁଠାରୁ ବଡ ଘନ ଜଙ୍ଗଲ ଆମାଜନ ଜଙ୍ଗଲ ମଧ୍ୟରେ ରାଜପଥ ନିର୍ମାଣ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ହେଲେ ବିଶ୍ୱରେ ଜଙ୍ଗଲ କ୍ଷୟ ଘଟୁଥିବା ବେଳେ ଏଭଳି ରାଜପଥ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଗଛ କାଟିବା ପରିବେଶ ପାଇଁ ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଂକା କରିଛନ୍ତି ।

ବ୍ରାଜିଲ ପର୍ଯ୍ୟଟନ ପ୍ରଧିକରଣ ତରଫରୁ ଗୁରୁବାର ଦିନ ପ୍ରାରମ୍ଭିକ ପରମିଟ ଜାରି କରାଯାଇଛି । ଏହି ପରମିଟ ମୁତାବକ ଆମାଜନ ଜଙ୍ଗଲ ମଧ୍ୟରେ ଏକ ଦୀର୍ଘ ରାଜପଥ ନିର୍ମାଣ କରାଯିବ । ଏହି ରାଜପଥ ନିର୍ମାଣ ହେଲେ ଆମାଜନ ସହର ମନାଉସକୁ ବ୍ରାଜିଲ ବିଭିନ୍ନ ସହର ସହ ଯୋଡାଯାଇ ପାରିବ ବୋଲି କୁହାଯାଇଛି ।

ବ୍ରାଜିଲର ଭିତ୍ତିଭୂମୀ ବିକାଶ ମନ୍ତ୍ରୀ ମାର୍ସୋଲେ ସୌପିୟୋ ତାଙ୍କ ଟ୍ୱିଟରରେ ପର୍ଯ୍ୟଟନ ଏଜେନ୍ସି ଇବାମାର ଏକ ଲାଇସେନ୍ସ କପି ପୋଷ୍ଟ କରି ପରମିଟର ଘୋଷଣା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସରକାର ନିର୍ମାଣକାରୀ କମ୍ପାନୀକୁ ରାଜପଥର ସବୁଠାରୁ ବଡ ମଧ୍ୟଖଣ୍ଡ ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି । ଏହାପରେ ଠିକାଦାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବା ପରେ ଦ୍ୱିତୀୟ ଅନୁମତି ପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ସେପଟେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋ ନିର୍ବାଚନ ବେଳେ ଏହି ରାଜପଥ ନିର୍ମାଣ ଦେଇ ପ୍ରତିଶ୍ରୁତି ଦେଇଥିଲେ । କହିରଖୁ କି ଏଠାରେ ଥିବା ଏକ ସାଧାରଣ ରାସ୍ତା ବର୍ଷା କାରଣରୁ ନଷ୍ଟ ହୋଇଯାଉଥିବାରୁ ଦେଶର ମନାଉସ ସହର ସହ ଅନ୍ୟ ସହର ମାନଙ୍କର ଯୋଗା ଯୋଗ ବିଚ୍ଛିନ୍ନ ହୋଇଯାଉଛି ।