ରହସ୍ୟଘେରରେ ରାଇମୋହନଙ୍କ ମୃତ୍ୟୁ ଘଟଣା । ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ

147

କନକ ବ୍ୟୁରୋ : ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୩ଦିନ ବିତିଯାଇଥିଲେ ବି ଘଟଣା ଏବେ ବି ରହସ୍ୟ ହୋଇ ରହିଛି । ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିବା, ଏବଂ ମୋବାଇଲ ହ୍ୱାଟ୍ସଆପରୁ ପରିବାରବର୍ଗଙ୍କୁ ମେସେଜ କରିବା । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯାହାକୁ ନେଇ ଆତ୍ମହତ୍ୟା ପଛର କାରଣ ରହସ୍ୟମୟ ହେବାରେ ଲାଗିଛି ।

ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ହଟିପାରେ । ଏସବୁ ରହସ୍ୟ ଭିତରେ ଅଭିନେତା ରାଇମୋହନଙ୍କ ଶେଷ ଭିଡିଓ ସାମ୍ନାକୁ ଆସିଛି । ଏକ ହୋଟେଲକୁ ଖାଇବା ପାର୍ସଲ ଆଣିବାକୁ ଯାଇଥିବାବେଳେ ସିସିଟିଭିରେ କଏଦ ହୋଇଛି ରାଇମୋହନ ପରିଡାଙ୍କ ଚିତ୍ର । ଆଖିରେ କଳା ଚଷମା ଓ ଜିନ୍ସ ପ୍ୟାଂଟ ସହ ଧଳା ଗଞ୍ଜି ପିନ୍ଧି ଭିତରକୁ ପ୍ରବେଶ କରୁଛନ୍ତି ଓଲିଉଡ ଟାଇଗର । ହୋଟେଲରେ ପଂହଚିବା ପରେ ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇ ଖାଇବା ଅର୍ଡର ଦେଉଛନ୍ତି । ଆଉ ଖାଇବା ପ୍ରସ୍ତୁତ ସମୟରେ ଲୋକଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ଏହି ଭିଡିଓ ଦେଖିବା ପରେ ହୁଏ ତ କେହି ବିଶ୍ୱାସ କରୁନଥିବେ ସ୍ୱାଭାବିକ ଥିବା ଜଣେ ମଣିଷ ଏଭଳି କିଭଳି ଆତ୍ମହତ୍ୟା କରିଦେଇପାରେ ।

ରବିବାର ସକାଳେ ରାଇମୋହନ ବ୍ୟବହାର କରିଥିବା ମୋବାଇଲକୁ ଯାଂଚ କରିବା ପରେ ପରିବାର ଲୋକଙ୍କୁ ଫେରାଇଦିଆଯାଇଛି । ମୋବାଇଲ ଯାଂଚ କରିବା ପରେ କଲ ଡିଟେଲସରୁ କିଛି ତଥ୍ୟ ପୁଲିସକୁ କିଛି ସୁରାକ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆତ୍ମହତ୍ୟା ନେଇ ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଏବେ ବି ରହିଛି । କୁହାଯାଉଛି , ୮ରୁ ୧୦ଦିନ ଭିତରେ ପୁଲିସ ରାଇମୋହନଙ୍କ ଘରକୁ ଆସିଥିଲା । ହୁଏତ ଏହାକୁ ନେଇ ଚାପରେ ଥାଇପାରନ୍ତି ରାଇମୋହନ ।