ଇସ୍ରୋ ଯିବେ ଓଡିଶାର ଛାତ୍ରଛାତ୍ରୀ । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ପରିଦର୍ଶନ କରିବେ ୨୦ ଜଣ ଓଡିଆ ଛାତ୍ରଛାତ୍ରୀ ।

265

କନକ ବ୍ୟୁରୋ: ଇସ୍ରୋ ଯିବେ ଓଡ଼ିଶାର ଛାତ୍ରଛାତ୍ରୀ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି) ପରିଦର୍ଶନ କରିବେ ୨୦ ଜଣ ଓଡିଆ ଛାତ୍ରଛାତ୍ରୀ। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ୨୦୨୩ର ବିଜେତାମାନେ ଶନିବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସଏସି) ପରିଦର୍ଶନ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଚୟନ ହୋଇଥିବା ୮୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଜଣ ବିଜେତା ଏସଏସି ଏବଂ ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କରିବେ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏହି ଅଭିଯାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଚଳିତ ବର୍ଷର ବିଷୟବସ୍ତୁ ‘ଦ ମୁନ୍ ବେସ୍ – ଫ୍ୟୁଚର ଲଞ୍ଚପ୍ୟାଡ୍ ଫର୍ ସ୍ପେସ୍‌’ ଅଂଶଗ୍ରହଣକାରୀଙ୍କ ଚିନ୍ତନକୁ ଆକର୍ଷିତ କରିଛି ଏବଂ ମହାଜାଗତିକ ସମ୍ଭାବନାର ଅନୁସନ୍ଧାନ ପାଇଁ ପ୍ରତିଶ୍ରୁତି ଦେଇଛି ।