ସମ୍ବଲପୁରରେ ଶୀତଳଷଷ୍ଠୀ ଆରମ୍ଭ : ସରିଲା ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡୀ; ବର୍ଣ୍ଣାଢ଼ିଅ ଶୋଭାଯାତ୍ରା ଦୁଲୁକିଲା ସହର

106

କନକ ବ୍ୟୁରୋ : ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ମଙ୍ଗଳବାର ରାତିରେ ସମ୍ପନ୍ନ ହୋଇଯାଇଛି । ସଂଧ୍ୟା ପ୍ରାୟ ୮ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରିତି ନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ଏହା ପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁକନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର ।

ଏହା ପରେ କନ୍ୟା ଖୋଜି ଖୋଜିବରପକ୍ଷ ପହଞ୍ଚିଥିଲେ ସମ୍ବଲପୁର ଗୋଲବଜାର ସ୍ଥିତ ଗିରିଷ ପଟେଲ ଓ ହଂସାବେନ୍ ପଟେଲଙ୍କ ଘରେ । ସେଠାରେ ପହଞ୍ଚିବା ପରେ ବରପକ୍ଷଙ୍କୁ କନ୍ୟା ଘର ତରଫରୁ ସ୍ୱାଗତକରାଯାଇଥିଲା । ଏଠାରେ ବର ପକ୍ଷ କନ୍ୟାପକ୍ଷଙ୍କୁ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବାର ସୂଚନା ପାଇ ଆସିଥିବାର ବରପିତା କହିଥିଲେ । ଏହା ପରେ କନ୍ୟାପକ୍ଷ ସାମ୍ନାରେ ବରର ଗୁଣଗାନ କରିଥିଲେ ସାଙ୍ଗରେ ଆସିଥିବା ସପ୍ତଋଷି । ସମ୍ପୂର୍ଣ୍ଣ ଲୋକାଚାରରେ ୨ବର୍ଷ ପରେ ଆଡମ୍ବର ପୂର୍ଣ୍ଣ ଭାବେ ଏହାର ଆୟୋଜନ ଆରମ୍ଭ ହୋଇଛି ।