ହକି ବିଶ୍ୱକପ୍ ପାଇଁ ଦେହଜୀବୀଙ୍କ ଘର ଭାଙ୍ଗିଲା ପ୍ରଶାସନ: ଖୋଲା ଆକାଶ ତଳେ ୧୫ରୁ ଅଧିକ ପରିବାର

499

କନକ ବ୍ୟୁରୋ: ବିଶ୍ୱକପ୍ ହକିକୁ ନେଇ ସଜେଇ ହେଉଛି ସହର । କିନ୍ତୁ ଏହି ସାଜସଜା କାହା ପାଇଁ ଖୁସି ଆଣିଛି ତ ଆଉ କାହା ପାଇଁ ନେଇ ଆସିଛି ଦୁଃଖ । ଆଉ ସେହି ସାଜସଜ୍ଜା ଭିତରେ ଭୁବନେଶ୍ୱରରେ ରହୁଥିବା ଦେହଜୀବୀଙ୍କ ଘର ଉଜୁଡି ଯାଇଛି । ସେମାନଙ୍କ ଘରକୁ ଭାଂଗି ଦେଇଛି ପ୍ରଶାସନ । ଏବେ ଖୋଲା ଆକାଶ ତଳେ ବିତୁଛି ସେମାନଙ୍କ ଜୀବନ ।

ହକି ବିଶ୍ୱକପ୍ ଲାଗି ସହର ସଜେଇବା ଆଳରେ ଭୁବନେଶ୍ୱର ବାଣୀବିହାର ପାଖ ଦେହଜୀବୀ ବସ୍ତିକୁ ଭାଂଗି ଦେଇଛନ୍ତି ସରକାର । ଆଉ ଘର ଘର ଭାଂଗିଯିବା ପରେ ଛିନ ଛତର ହୋଇ ଏଣେ ତେଣେ ପଡିଛି ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର । ହେଲେ ସେମାନଙ୍କ ପାଖରେ କିଛି ଉପାୟ ନାହିଁ । ସେହି ଭଂଗା ଘର ଉପରେ ବସି, ପଡିଥିବା ଇଟା ତଳୁ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି ଦେହଜୀବୀ । ନିଜ ଭାଗ୍ୟକୁ ଆଦରି ଖୋଲା ଆକାଶ ତଳେ ଶୀତ କାକରରେ ପିଲା ଛୁଆଁଙ୍କୁ ଧରି ପଡି ରହିଛନ୍ତି ।

ଦୀର୍ଘ ୨୦ ବର୍ଷ ହେବ ଏଠାରେ ଦେହ ବ୍ୟବସାୟ କରି ନିଜର ଗୁଜୁରାଣ ମେଂଟାଉଥିଲେ । କିନ୍ତୁ ଘର ଭାଂଗିଯିବା ପରେ, କୁଆଡେ ଯିବେ, କଣ ଖାଇବେ, କେଉଁଠି ରହିବେ, କେମିତି ଚଳିବେ, ଏବେ ଦେହଘାରିଛି ସେହି ଚିନ୍ତା ଘାରିଛି । ହେଲେ, ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହିଁ ।

ଜଙ୍ଗଲ ସଫାକରି ଦୀର୍ଘ ବର୍ଷ ହେଲା ସେମାନେ ଏଠାରେ ରହି ଆସୁଥିବାରୁ ଥଇଥାନ ନକରି ହକି ବିଶ୍ୱକପ୍ ଆଳରେ ଘର ଭାଂଗି ଦିଆଯିବାକୁ ସେମାନେ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ୭ଦିନ ଭିତରେ ସେମାନଙ୍କ ସମସ୍ୟା ସମାଧାନ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।