ମୋବାଇଲ ନେଟୱର୍କ ପାଇଁ ରାସ୍ତା ରୋକ : ତିଲେଇବଣିରେ ତାତିଲେ ଲୋକେ; ପ୍ରତିଶ୍ରୁତି ଦେଇ ପ୍ରଶାସନ ଠକି ଦେଇଥିବା ଆଣିଲେ ଅଭିଯୋଗ

74

କନକ ବ୍ୟୁରୋ : ମୋବାଇଲ ନେଟୱର୍କ ଆସୁନି ବୋଲି ରାସ୍ତାଜାମ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ । ଜିଲ୍ଲାର ତିଳେଇବଣି ଅଞ୍ଚଳର ୫ଟି ପଞ୍ଚାୟତରେ ଦୀର୍ଘଦିନ ହେଲା ମୋବାଇଲ ନେଟୱର୍କ ଆସୁନି । ଫଳରେ ଲୋକେ ଅସୁବିଧା ଭୋଗୁଛନ୍ତି । ପିଲାଙ୍କ ପାଠପଢାରେ ବି ବ୍ୟାଘାତ ସୃଷ୍ଟି ହୋଇଛି । କିଛିଦିନ ତଳେ ନେଟୱର୍କ ଠିକ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହା ଏ ଯାଏଁ ହୋଇପାରିଲା ନାହିଁ । ଫଳରେ ସ୍ଥାନୀୟ ଲୋକେ ତାତିଛନ୍ତି ।

ଆଉ କୈଳାସ ଛକରେ ୫୫ ନମ୍ବର ଜାତୀୟ ରାଜପଥକୁ ୧୨ ଘଣ୍ଟା ଧରି ଅବରୋଧ କରାଯାଇଛି । ପଞ୍ଚାୟତ ନିର୍ବାଚନ ସମୟରେ ଏହି ୫ ପଞ୍ଚାୟତର ଲୋକେ ନେଟୱର୍କ ଦାବି କରି ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ନେଟୱର୍କ ସଜାଡିବାକୁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା ପ୍ରଶାସନ । ଝରାଗୋରୁଆ ଗାଁରେ ଘରୋଇ ମୋବାଇଲ କମ୍ପାନୀ ଟାୱାର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗାଁ ଲୋକେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଦୀର୍ଘଦିନ ବିତିଯାଇଥିଲେ ବି ଟାୱାର କାମ ସରିନାହିଁ । ଫଳରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।