ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ: ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

116

କନକ ବ୍ୟୁରୋ: ରାଜ୍ୟରେ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ତାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି । ରାଜ୍ୟର ସଡ଼କ ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଇଛି ଏ ନେଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟଙ୍କ କମିଟି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଅଭୟ ମନୋହର ସାପ୍ରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି – “ଓଡ଼ିଶା ସମେତ ସାରା ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିିଛି । ଏହା ଉଦବେଗଜନକ ସ୍ଥିତିରେ ପହଁଚିଥିବାରୁ ଆପଣଙ୍କ ରାଜ୍ୟରେ ରାସ୍ତା ସୁରକ୍ଷା ପାଇଁ ଅତୀତରେ କି କି ପଦକ୍ଷେପ ନିଆଯାଇଛି, ଏବେ କ’ଣ ପଦକ୍ଷେପ ନିଆଯାଉଛି, ଏହାକୁ ସମୀକ୍ଷା କରନ୍ତୁ । ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ କ’ଣ କରାଯାଇପାରିବ, ଏ ନେଇ ଉଚ୍ଚସ୍ତରୀୟ ବୈଠକ କରନ୍ତୁ । ସଡ଼କ ସୁରକ୍ଷା କମିଟିର ସଚିବ ଓ ଅନ୍ୟ ଅଧିକାରୀ ଓଡ଼ିଶା ଯାଇ ସଡ଼କ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।”

ଗତ ୧୦ ବର୍ଷରେ ରାଜ୍ୟରେ ଦୁର୍ଘଟଣା ମୃତ୍ୟୁ ୪୫,୭୧୭
୭ ବର୍ଷ ମଧ୍ୟରେ ୨୯ ପ୍ରତିଶତ ବୃଦ୍ଧି
ବର୍ଷକ ମଧ୍ୟରେ ବଢ଼ିଲା ୭.୨୪ ପ୍ରତିଶତ
ସଡ଼କ ଦୁର୍ଘଟଣା ଯେତିକି ବଢ଼ୁଛି, ସେହି ଅନୁପାତରେ ବଢୁଛି ମୃତ୍ୟୁ ସଂଖ୍ୟା । ନଜର ପକାନ୍ତୁ ଏହି ତଥ୍ୟ ଉପରେ –

ଓଡ଼ିଶାରେ ଦୁର୍ଘଟଣା ମୃତ୍ୟୁ
୨୦୧୪ – ୩,୯୩୧
୨୦୧୮ – ୫,୩୧୫
୨୦୧୯ – ୫,୩୩୩
୨୦୨୦ – ୪,୭୩୮
୨୦୨୧ – ୫,୦୮୧

୨୦୧୪ରେ ରାସ୍ତା ଦୁର୍ଘଟଣାରେ ୩,୯୩୧ ଜଣଙ୍କ ମୃତ୍ୟୁ ହୋଇଥିଲା ।୨୦୧୮ ବେଳକୁ ଏହା ୫,୩୧୫କୁ ବୃଦ୍ଧି ପାଇଥିଲା । ୨୦୨୦ରେ କରୋନା କଟକଣା ଯୋଗୁଁ ସଡ଼କ ଦୁର୍ଘଟଣା ହ୍ରାସ ପାଇଥିଲା । ସେହିବର୍ଷ ମୃତ୍ୟୁ ସଂଖ୍ୟା ୪,୭୩୮ ରହିଥିଲା । କିନ୍ତୁ ୨୦୨୧ରେ ପୁଣି ବୃଦ୍ଧି ପାଇ ୫,୦୮୧ରେ ପହଁଚିଥିଲା ।
ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ ଦୁର୍ଘଟଣାର କାରଣ ସଂପର୍କରେ ଉଲ୍ଲେଖ କରିଥିଲେ ପରିବହନ ମନ୍ତ୍ରୀ ।

କାହିଁକି ହେଉଛି ଦୁର୍ଘଟଣା?
ଦ୍ରୁତ ଗତି
ମଦପିଇ ଗାଡ଼ି ଚଳାଇବା
ସିଟ୍ ବେଲ୍ଟ ନବାନ୍ଧିବା, ହେଲମେଟ୍ ନପିନ୍ଧିବା
ବିପରୀତ ଦିଗରେ ଗାଡ଼ି ଚଳାଇବା
ବେଆଇନ ପାର୍କିଂ ଏବଂ ରାସ୍ତା ନିର୍ମାଣରେ ତ୍ରୁଟି

ଅର୍ଥାତ୍ ଅନ୍ୟ କାରଣ ସହିତ ରୋଡ୍ ଇଂଜିନିୟରିଂରେ ତ୍ରୁଟି ଥିବା ନେଇ ମଧ୍ୟ ସ୍ୱୀକାର କରିଥିଲେ ରାଜ୍ୟ ସରକାର । ଗତ ଅଗଷ୍ଟ ମାସରେ ରାଜ୍ୟରେ ରାସ୍ତା ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅଡିଟ୍ କରିଥିଲେ ସୁପ୍ରିମକୋର୍ଟଙ୍କ କମିଟି । ଦୁର୍ଘଟଣା ମୃତ୍ୟୁ କମାଇବାରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ରହିଥିଲା ଓଡ଼ିଶା । ପ୍ରତିବର୍ଷ ୧୦ ପ୍ରତିଶତ ହାରରେ ଦୁର୍ଘଟଣା ମୃତ୍ୟୁ କମାଇବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିର ଅନୁଧ୍ୟାନ ପାଇଁ ଦୁଇ ସପ୍ତାହ ମଧ୍ୟରେ କିଛି ଅଧିକାରୀଙ୍କୁ ଓଡ଼ିଶା ପଠାଇପାରନ୍ତି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ।