ରାଜସ୍ଥାନ-ବାଙ୍ଗାଲୋର ମ୍ୟାଚରେ ବର୍ଷା ହେଲେ, କିଏ ଯିବ ଫାଇନାଲ? ପଢନ୍ତୁ, କଣ ରହିଛି ନିୟମ…

518

କନକ ବ୍ୟୁରୋ: ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର । କେଉଁ ଦଳ ଯିବ ଆଇପିଏଲ୍ ଫାଇନାଲ? ଗୁଜରାଟ ଟାଇଟନ୍ସକୁ କିଏ ଦେବ ଟକ୍କର? ଏସବୁ ପ୍ରଶ୍ନର ଉତ୍ତର ଆଜି ମିଳିବାକୁ ଯାଉଛି । କାହିଁକି ନା ଆଜି ଆଇପିଏଲରେ ଖେଳାଯିବାକୁ ଅଛି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ । ଯେଉଁ ମ୍ୟାଚ କି ଆଇପିଏଲ୍ ଫାଇନାଲର ଦ୍ୱିତୀୟ ଦଳ ବାଛିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ଏବେ ପ୍ରଂଶସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଯଦି ଏହି ମ୍ୟାଚ୍ ବର୍ଷାରେ ଧୋଇଯାଏ ତେବେ କେଉଁ ଦଳ ଯିବ ଫାଇନାଲ?

ଆଜି ସନ୍ଧ୍ୟା ସାଢେ ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚର ବିଜେତା ଆଇପିଏଲ୍ ଫାଇନାଲ୍ ମ୍ୟାଚକୁ ପ୍ରବେଶ କରିବ । ତେବେ ଏହି ମ୍ୟାଚରେ ବର୍ଷା ହେଲେ, କିମ୍ବା ମ୍ୟାଚ୍ ଅଧାରୁ ରଦ୍ଦ ହେଲେ, କିଏ ଫାଇନାଲକୁ ଯିବ ତାହା ଅନେକଙ୍କୁ ଅଜଣା ।

ଯଦି କୌଣସି ବି କାରଣରୁ ଟସ୍ ଡେରିରେ ପଡେ, ତେବେ ମ୍ୟାଚ୍ ପାଇଁ ୨ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିବ । ମ୍ୟାଚରେ ଡେରିରେ ଆରମ୍ଭ ହେଲେ ମଧ୍ୟ ୨୦-୨୦ ଓଭର ମ୍ୟାଚ୍ ଖେଳାଯିବ । ତେବେ ଏହାଠାରୁ ଯଦି ଅଧିକ ଡେରିରେ ମ୍ୟାଚ୍ ଆରମ୍ଭ ହୁଏ, ତେବେ ୫ ଓଭର କମାଇଦିଆଯିବ । ତେବେ ଅତିକମରେ ଦୁଇ ଦଳ ଭିତରେ ୫ ଓଭର ଲେଖାଏଁ ମ୍ୟାଚ୍ ମଧ୍ୟ ଖେଳାଯାଇ, ବିଜୟୀ ଦଳର ନାଁ ଘୋଷଣା କରାଯିବ ।

ତେବେ ବର୍ଷା କାରଣରୁ ଯଦି ମ୍ୟାଚ୍ ସମ୍ଭବ ନହୁଏ, ତେବେ ସୁପର ଓଭର ଜରିଆରେ ଫଳ ଘୋଷଣା ହେବ । ଯଦି ସୁପର ଓଭର ମଧ୍ୟ ସମ୍ଭବ ନହୁଏ ଓ ଗୋଟିଏ ବି ବଲ୍ ଖେଳିବା ସମ୍ଭବ ନହୁଏ ତେବେ ପଏଣ୍ଟ ଟେବୁୁଲ ହିସାବରେ ରାଜସ୍ଥାନ ରୟାଲ୍ସ ଫାଇନାଲ ପାଇଁ ଟିକେଟ୍ ହାସଲ କରିବ ।