ଲୋକସଭା ଉପ ନିର୍ବାଚନ: ରାମପୁରରେ ବାଜି ମାରିନେଲା ବିଜେପି । ୪୨ ହଜାରରୁ ଅଧିକ ଭୋଟରେ ହାରିଲା ସମାଜବାଦୀ ପାର୍ଟି ।

239

କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାମପୁର ଲୋକସଭା ସିଟରେ ହୋଇଥିବା ଉପ ନିର୍ବାଚନରେ ବାଜି ମାରିନେଲା ବିଜେପି । ସମାଜବାଦୀ ପାର୍ଟିକୁ ଚକମା ଦେଇ ଏହି ସିଟରେ ଜିତାପଟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ତେବେ ମିଳିଥିବା ସୂଚନା ମୁତାବକ, ବିଜେପି ପ୍ରାର୍ଥୀ ଘନଶ୍ୟାମ ସିଂହ ଲୋଧୀ ତାଙ୍କ ବିରୋଧୀ ପ୍ରାର୍ଥୀ ଅସୀମ ରାଜାଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ହରାଇ ରାମପୁର ଲୋକସଭା ଉପ ନିର୍ବାଚନ ଜିତିଯାଇଛନ୍ତି ।

ରାମପୁର ସିଟ୍ ସପା ନେତା ଆଜମ୍ ଖାନଙ୍କ ଗଡ ବୋଲି କୁହାଯାଏ । ୨୦୧୯ ଲୋକସଭା ନିର୍ବାଚନର ମଧ୍ୟ ଆଜମ ଖାନ୍ ଏହି ସିଟରୁ ବିଜୟୀ ହୋଇଥିଲେ । ହେଲେ ୨୦୨୨ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ବିଧାୟକ ଭାବେ ଟିକେଟ୍ ଦେଇଥିଲା । ଆଉ ସେ ବିଧାନସଭା ନିର୍ବାଚନ ଜିତିବା ପରେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ରାମପୁର ଲୋକସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା । ହେଲେ ଏହି ଉପ ନିର୍ବାଚନରେ ସମସ୍ତଙ୍କୁ ପଛରେ ପକାଇ ବିଜେପି ବାଜି ମାରିନେଇଛି ।

ଆଜମ୍ ଖାନଙ୍କ ସମର୍ଥକ ରାମପୁର ଲୋକସଭା ଉପନିର୍ବାଚନ ଜିତିବା ନେଇ ପକ୍କା ଥିଲେ । ଏଥିପାଇଁ ଆଜମ୍ ଖାନ ନିଜ ଖାସ୍ ଲୋକ ଅସୀମ ରାଜାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲେ । ତାଙ୍କ ପାଇଁ ଜୋରଦାର ପ୍ରଚାର ମଧ୍ୟ କରିଥିଲେ । ତେବେ ସପା ନେତା ଅଖିଳେଶ ଯାଦବ କିନ୍ତୁ ଅସୀମ ରାଜାଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବିଜେପି କିନ୍ତୁ ଏହି ଆସନ ଜିତିବାକୁ କଳେ ବଳେ କୌଶଳ ଜାରି ରଖିଥିଲା । ଆଉ ଶେଷକୁ ବିଜେପିକୁ ତାର ଫଳ ମିଳିଛି ।

ରବିବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଆରମ୍ଭରୁ କିନ୍ତୁ ଅସୀମ ରାଜା ଆଗରେ ରହିଥିଲେ । ହେଲେ ଶେଷ ଆଡକୁ ଅସୀମ ରାଜାଙ୍କୁ ଆଉ ଅଧିକ ଭୋଟ୍ ମିଳିନଥିଲା । ଶେଷରେ ବିଜେପି ପ୍ରାର୍ଥୀ ରାମପୁର ଲୋକସଭା ଉପ ନିର୍ବାଚନକୁ ଜିତି ନେଇଥିଲେ । ସୂଚନାଯୋଗ୍ୟ ଯେ, ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧୀ ଏହା ପୂର୍ବରୁ ବିଧାନ ପରିଷଦର ସଦସ୍ୟ ଥିଲେ । ତାଙ୍କୁ ଆଜମ ଖାନଙ୍କର ମଧ୍ୟ ଖାସ୍ ଲୋକ କୁହାଯାଏ । ୨୦୨୨ରେ ସେ ବିଜେପି ଜଏନ୍ କରିଥିଲେ । ଖାଲି ସେତିକି ନୁହେଁ, ଘନଶ୍ୟାମ ଲୋଧୀଙ୍କୁ ପୂୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କର ପାଖ ଲୋକ ବୋଲି ବି କୁହାଯାଏ ।