କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ଅଶୋକ ଗେହଲଟଙ୍କ ବିସ୍ଫୋରକ ବୟାନ । କହିଲେ, ସୁଯୋଗ ମିଳିଲେ କଂଗ୍ରେସର ଅଧ୍ୟକ୍ଷ ହେବି

201

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ବେଳେ ପଦବୀର ଅଧିକାର ପାଇଁ ସବୁଠାରୁ ଆଗରେ ଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ । ହେଲେ କିଛି ରାଜନୈତିକ ଘଟଣା କ୍ରମରେ ଅଶୋକ ଗେହଲଟଙ୍କ ବଦଳରେ ମଲ୍ଲିକାର୍ଜୁନ ଖଡଗେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ହାତେଇ ନେଇଥିଲେ । ଏସବୁ ଭିତରେ ଅଶୋକ ଗେହଲଟଙ୍କର ଏକ ବୟାନକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି    । ଏକ ସାକ୍ଷାତକାର ବେଳେ ଗେହଲଟ କହିଛନ୍ତି କି, ପରିସ୍ଥିତି ଏଭଳି ଥିଲା କି ମୁଁ ଅଧ୍ୟକ୍ଷ ହୋଇପାରିଲିନାହିଁ । ହେଲେ ଆଗକୁ ସୁଯୋଗ ମିଳିଲେ ମୁଁ ଦଳର ଅଧ୍ୟକ୍ଷ ହେବି । ଏହାସହ ମୁଖ୍ୟମନ୍ତ୍ରୀ ପଦଠାରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ୧୦୦ ଗୁଣରେ ବଡ ବୋଲି ସେ କହିଛନ୍ତି ।

ସେପଟେ ରାଜସ୍ଥାନ ବିଧାନସଭା ର୍ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଶୋକ ଗେହଲଟ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ରାଜନୈତିକ ଆକ୍ରମଣ କରିବାକୁ ହେଲେ ସମାସ୍କନ୍ଦ ଶତ୍ରୁର ଆବଶ୍ୟକତା ରହିଛି । ହେଲେ ରାଜସ୍ଥାନ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ କରିବ ଖୋଜି ପାଉନଥିବାରୁ କାହା ସହ ଲଢେଇ ହେବ ବୋଲି ସେ କହିଛନ୍ତି ।

ଯଦି ଆମେ ବିଚାର କରିବା ତେବେ ନିକଟ ଭବିଷ୍ୟତରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷପଦରୁ ହଟାଇବା କଂଗ୍ରେସ ପାଇଁ ସହଜ ନୁହେଁ । କାରଣ ସେ ଜଣେ ଦଳିତ ଚେହେରା । ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି ତ ୨୦୨୪ରେ ଲୋକସଭା ନିର୍ବାଚନ ରହିଛି । କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କ ପଦରୁ ହଟାଇ ଦଳିତ ଭୋଟକୁ ହାତଛଡା କରିବାକୁ କେବେ ଚାହିଁବ ନାହିଁ ।