ସାମ୍ନାକୁ ଆସିଲା ରାଇମୋହନଙ୍କ ଶେଷ ଭିଡିଓ । ମୃତ୍ୟୁ ପୂର୍ବରୁ ହୋଟେଲକୁ ଖାଇବା ପାର୍ସଲ ଆଣିବାକୁ ଯାଇଥିବା ବେଳେ ସିସିଟିଭିରେ କଏଦ ହେଲା ଚିତ୍ର…

1,915

କନକ ବ୍ୟୁରୋ: ରାଇମୋହନଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିପାରୁନଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଶେଷ ଭିଡିଓ । ଏକ ହୋଟେଲକୁ ଖାଇବା ପାର୍ସଲ ଆଣିବାକୁ ଯାଇଥିବା ବେଳେ ସିସିଟିଭିରେ କଏଦ ହୋଇଛି ରାଇମୋହନଙ୍କ ଶେଷ ଚିତ୍ର । କାରରୁ ଓହ୍ଲାଇବା ପରେ ରାଇମୋହନ ଆଖିରେ କଳା ଚଷମା ଓ ଧଳା ଟି-ଶାର୍ଟ ପିନ୍ଧି ହୋଟେଲ ଭିତରକୁ ପ୍ରବେଶ କରିଥିଲେ । ହୋଟେଲରେ ପହଞ୍ଚିବା ପରେ ସାଧାରଣ ଲୋକଙ୍କ ପରି ଧାଡ଼ିରେ ଛିଡ଼ା ହୋଇ ସାଧାରଣ ଲୋକଙ୍କ ଭଳି ଖାଇବା ଅର୍ଡର ଦେଉଛନ୍ତି । ଖାଇବା ପ୍ରସ୍ତୁତ ସମୟରେ ସେ ସାଧାରଣ ଲୋକଙ୍କ ସହ ମଧ୍ୟ କଥା ହେଉଥିବା ଦେଖିବାକୁ ମିଳିଛି । ଆଉ ଖାଇବା ପାର୍ସଲ ଧରି କାରରେ ବସି ସେଠାରୁ ଚାଲିଯାଇଛନ୍ତି ।

ଏସବୁ ଭିତରେ କିନ୍ତୁ ରାଇମୋହନଙ୍କ ମୃତ୍ୟୁକୁ ୩୬ ଘଣ୍ଟା ପୁରିଥିବା ବେଳେ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ରାଇମୋହନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନଙ୍କ କଥାରୁ ପରିବାର ଭିତରେ ସବୁକିଛି ଠିକ୍ ଥିବା ପୋଲିସ ଜାଣିବାକୁ ପାଇଛି । ଏପରି ସ୍ଥଳେ କାହିଁକି ଆତ୍ମହତ୍ୟା କଲେ ରାଇମୋହନ ତାକୁ ନେଇ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି । ଶନିବାର ଭୁବନେଶ୍ୱର ପ୍ରାଚୀବିହାର ସ୍ଥିତ ରାଇମୋହନଙ୍କ ବାସଭବନରେ ପହଞ୍ଚି ତଦନ୍ତ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ସବୁ ସମ୍ଭାବ୍ୟ ଦିଗକୁ ଆଖିରେ ରଖି ପୁଲିସ ତଦନ୍ତ ଚଲାଇଛି । ପରିବାର ସଦସ୍ୟଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ତଦନ୍ତକାରୀ ଟିମ୍ ପଚରା ଉଚରା କରିଛି ।

ରାଇମୋହନଙ୍କ ଘରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛି । ରାଇମୋହନଙ୍କ ମୃତ୍ୟୁ ସମୟରେ ପରିବାର ଲୋକେ କିଏ କେଉଁଠି ଥିଲେ? ଆତ୍ମହତ୍ୟା କରିବା ପୂର୍ବରୁ କାହା ସହ ଶେଷ କଥା ହୋଇଥିଲେ କି? ସମସ୍ତେ ବଜାର ଯାଇଥିଲା ବେଳେ ରାଇମୋହନ କାହିଁକି ଘରେ ରହିଥିଲେ? କୌଣସି କଥାକୁ ନେଇ ରାଇମୋହନ ଚାପଗ୍ରସ୍ତ ଥିଲେ କି ? ପରିବାର ଲୋକଙ୍କୁ ମାନସିକ ଚାପ ବିଷୟରେ କେବେ କିଛି କହିଥିଲେ କି ? ଏଭଳି ଅନେକ ପ୍ରଶ୍ନ ଗୁଡେଇ ତୁଡେଇ ପରିବାର ଲୋକଙ୍କୁ ତଦନ୍ତକାରୀ ଦଳ ପଚାରିଥିବା ସୂଚନା ମିଳିଛି ।

ପରିବାର ଲୋକଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିବା ପରେ ପ୍ରତିକ୍ରିୟା ରଖି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧିର ସାହୁ କହିଛନ୍ତି, ଆଜି ପରିବାର ଲୋକଙ୍କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରାଯାଇଛି ଏବଂ ଆବଶ୍ୟକ ପଡିଲେ ସାହି ପଡିଶା ଲୋକଙ୍କୁ ପାଖରୁ ମଧ୍ୟ ଏନେଇ ଅଧିକ ତଥ ସଂଗ୍ରହ କରାଯିବ । ରାଇମୋହନଙ୍କ ଫୋନ୍ ଜବତ ହୋଇଥିବାରୁ କଲ ଡିଟେଲସ୍ ରେକର୍ଡ ଉପରେ ଅଧିକ ଯାଞ୍ଚ କରାଯାଉଥିବା ସୂଚନା ଦେଇଛନ୍ତି ମଞ୍ଚେଶ୍ୱର ଥାନା ଅଧିକାରୀ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ତଦନ୍ତରେ ସହାୟକ ହେବ ଓ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।