ମୋଦି – ଟ୍ରମ୍ପ୍ ମହାମିଳନ ! ଆତଙ୍କବାଦୀଙ୍କୁ ଆଶ୍ରୟ ନଦେବାକୁ ଦୁଇ ନେତାଙ୍କ ନାଲିଆଖି

30

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ବଡ ସଫଳତା । ଜଣେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ଅନ୍ୟଜଣେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି । ହ୍ୱାଇଟ ହାଉସରେ ପ୍ରାୟ ସାଢେ ୪ ଘଂଟାର ଆଲୋଚନା ପରେ ମିଳିତ ବିବୃତି ଜାରି କରିବା ସମୟରେ ଦୁଇ ନେତା ପରସ୍ପରକୁ କୁଣ୍ଢେଇ ଧରିଥିଲେ । ଆଉ ଏହି ମୁହୁର୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଆଡକୁ ଇସାରା କରୁଥିଲା । ଏହାପରେ ଜାରି ହେଲା ପ୍ରେସ ବିବୃତି । ପାକିସ୍ତାନ ଆଡକୁ ଇସାରା କରି ଦୁଇ ନେତା କହିଲେ ନିଜ ମାଟିରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାରୁ ନିବୃତ ରହୁ ପାକିସ୍ତାନ ।

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରଠାରୁ ଇସଲାମିକ ଆତଙ୍କବାଦ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଥିବା ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ଭେଟିବା ପରେ ଆତଙ୍କବାଦ ବିରୋଧୀ ଲଢେଇ ଆଉଏକ ପାଦ ଆଗକୁ ଯିବାର ସୁଯୋଗ ସୃଷ୍ଟି ହୋଇଛି । ଆତଙ୍କବାଦୀ ସଂଗଠନ ଓ ଏହାକୁ ପ୍ରୋତ୍ସାହନ ଦେଉଥିବା କଠୋରପନ୍ଥୀ ବିଚାରଧାରାର ମୂଳପୋଛ କରିବାକୁ ଆହ୍ୱାନ ଦେଇଥିଲେ ଟ୍ରମ୍ପ । ଭାରତର କୂଟନୈତିକ ଚାପ ଫଳରେ, ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୟଦ ସଲାଉଦ୍ଦିନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା ।

ଭାରତୀୟ ସମୟ ସୋମବାର ରାତି ପ୍ରାୟ ସାଢେ ଗୋଟାଏ ସମୟରେ ହ୍ୱାଇଟ ହାଉସରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ୨୦ ମିନିଟ ଧରି ଚାଲିଲା ୱାନ ଟୁ ୱାନ କଥାବାର୍ତା । ଏହାପରେ ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ହୋଇଥିଲା ଆଲୋଚନା । ରୋଜ ଗାର୍ଡେନରେ ଏକ ମିଳିତ ବିବୃତିରେ ଦୃତ ଗତିିରେ ବୃଦ୍ଧି ପାଉଥିବା ଭାରତର ଆର୍ଥିକ ସ୍ଥିତି ଓ ଟିକସ ସଂସ୍କାର ପ୍ରକ୍ରିୟାକୁ ପ୍ରଂଶସା କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଏପରିକି ଆମେରିକା ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଥିବା ସୂଚନା ଦେଇଥିଲେ ।

ତେବେ ଦୁଇ ନେତାଙ୍କ ଭିତରେ ପ୍ୟାରିସ ଜଳବାୟୁ ପରିବର୍ତନ ଚୁକ୍ତି ଓ ବହୁ ଚର୍ଚ୍ଚିତ ଏଚ-୧ (ବି) ଭିସା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । ପ୍ରଥମଥର ପାଇଁ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଆୟୋଜନ ହୋଇଥିଲା ନୈଶଭୋଜି । ଯେଉଁଥିରେ ଆମେରିକା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ । ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ଭାରତ ଆସିବା ଲାଗି ନିମନ୍ତ୍ରଣ କରିଥିଲେ ମୋଦି । ଚଳିତବର୍ଷ ଶେଷ ଆଡକୁ ହେବାକୁ ଥିବା ଅଷ୍ଟମ ବିଶ୍ୱ ଉଦ୍ୟୋଗପତିଙ୍କ ସମ୍ମିଳନୀରେ ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେବା ପାଇଁ ଅନୁରୋଧ କରିଥିଲେ ମୋଦି ।