ହସ୍ପିଟାଲରେ ପଡିଛି ପୁଅର ଶବ । ପଇସା ଦେଲେ ଶବ ଉଠିବ । ଟଙ୍କା ଯୋଗାଡ କରିବାକୁ ଭିକ ମାଗିଲେ ବାପା,ମା’

183

କନକ ବ୍ୟୁରୋ: ଏଭଳି ଅଭାବନୀୟ ଘଟଣା ଘଟିଛି ବିହାର ସମସ୍ତିପୁରରେ । ଭେଣ୍ଡିଆ ପୁଅ ଅକାଳରେ ଚାଲିଗଲା । ହେଲେ ପୁଅର ଶବ ସଂସ୍କାର କରିପାରୁନାହାଁନ୍ତି ବାପା, ମା’ । କାରଣ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମରେ ପଡିଛି ପୁଅର ମୃତଦେହ । ଶବ ବ୍ୟବଚ୍ଛେଦ କର୍ମୀଙ୍କ ଦାବି, ୫୦,୦୦୦ ଟଙ୍କା ଆଣି ଦେଲେ ଶବ ଉଠିବ । ହେଲେ ଗରୀବ ବାପା, ମା’ ଏତେ ପଇସା ଆଣିବେ କେଉଁଠୁ । ତେଣୁ ପୁଅର ଶବ ପାଇବାକୁ ଏବେ ଘର ଘର ବୁଲି ମାଗୁଛନ୍ତି ଭିକ । ଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ତନାଘନା ।

ଏପରି ଅଭାବନୀୟ ଘଟଣା ଘଟିଛି ବିହାର ସମସ୍ତିପୁର ଇଲାକାରେ । ତାଜପୁର ଥାନା ଅନ୍ତର୍ଗତ କସୱେଆହର ଗାଁର ବାସିନ୍ଦା ମହେଶ ଠାକୁରଙ୍କ ପୁଅ ସଞ୍ଜିବ ଠାକୁର କିଛି ଦିନ ହେବ ନିଖୋଜ ଥିଲେ । ବାପା, ମା’ ଖୋଜି ଖୋଜି ନପାଇବାରୁ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୁଅ ମିଳିନଥିଲା ମିଳିଥିଲା ପୁଅର ମୃତଦେହ । ସେ ପୁଣି ଅତି ନାଟକୀୟ ଢଙ୍ଗରେ । ପୋଲିସ ପେଜାଡିହ ଦେଇ ଯାଉଥିବା ମୁଖ୍ୟ ରାସ୍ତା କଡରୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ପାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ଏହାପରେ ମହେଶ ଠାକରଙ୍କୁ ପାଖକୁ ଏକ କଲ ଯାଇଥିଲା । ମିଳିଥିବା ଶବ ଚିହ୍ନଟ କରିବାକୁ । ତାହାହିଁ ଥିଲା ତାଙ୍କ ପୁଅ ସଞ୍ଜିବ ଠାକୁରଙ୍କ ମୃତଦେହ । ହେଲେ ପୁଅକୁ ଆଣି ତା’ର ଅନ୍ତିମ ସଂସ୍କାର କରିବା ତାଙ୍କ ଭାଗ୍ୟରେ ଜୁଟିନଥିଲା । ପୁଅର ଶବ ଦେବାକୁ ପୋଷ୍ଟମର୍ଟମ କରୁଥିବା କର୍ମଚାରୀମାନେ ମାଗିଥିଲେ ମୋଟା ଅଙ୍କର ଅର୍ଥ । ହଜାରେ ଦୁଇ ହଜାରେ ନୁହେଁ ଏକାଥରକେ ୫୦,୦୦୦ ଟଙ୍କା । ହେଲେ ଗରୀବ ବାପା, ମା’ ଏତେ ଟଙ୍କା ଆଣିବେ କେଉଁଠୁ । ତେଣୁ ବାଧ୍ୟ ହୋଇ ଘରଘର ବୁଲି ଭିକ ମାଗି ଟଙ୍କା ଯୋଗାଡ କରୁଥିବା ଦେଖିବାକୁ ମିଳିଛି ।

ତେବେ ଏହି ଖବର ପାଇବା ପରେ ଛୁଟିରେ ଥିବା ଜିଲ୍ଲା ଚିକିତ୍ସାଧିକାରୀ ଘଟଣାର ତଦନ୍ତ କରାଇଥିଲେ । ଏହି ଘଟଣାର ତଦନ୍ତ ଜାରି ଥିବା କହିଛନ୍ତି । ଏହି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ । ସୂଚନା ମୁତାବକ, ଡାକ୍ତରଖାନାର ଅଧିକାଂଶ କର୍ମଚାରୀ ଠିକାରେ କାମ କରୁଛନ୍ତି । ଠିକ୍ ସମୟରେ ଦରମା ପାଉନାହାଁନ୍ତି । ଡାକ୍ତରଖାନାର କର୍ମଚାରୀମାଦେ ରୋଗୀମାନଙ୍କର ଆତ୍ମୀୟମାନଙ୍କ ଠାରୁ ଅର୍ଥ ନେଉଥିବାର ଦେଖାଯାଉଛି । ଏ ଘଟଣାର ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମ୍ କହିଛନ୍ତି । ଏହାସହ ସଞ୍ଜିବଙ୍କ ମୃତଦେହକୁ ଶବ ବାହକ ଗାଡିରେ ତାଙ୍କ ଘରକୁ ପଠାଇଦିଆଯାଇଥିବା କହିଛନ୍ତି ଡିଏମ୍ ।

ଏହି ଖବର ଶୁଣିବା ପରେ ମନେ ହେଉଛି ଯେପରି ସମାଜରୁ ମାନବିକତା ହଜିହଜି ଯାଉଛି । ମଣିଷ ରକ୍ତରେ ଦୟା କ୍ଷମାର ରକ୍ତ ବହିବା ବନ୍ଦ ହୋଇଯାଇଛି ।