‘ଆମ ଓଡି଼ଶା, ନବୀନ ଓଡ଼ିଶା’କୁ ନେଇ ହାଇକୋର୍ଟଙ୍କ ଜବାବ ତଲବ ପରେ ତେଜିଲା ରାଜନୀତି । ବିଜେପି କହିଲା ନିର୍ବାଚନ ଜିତିବା ଥିଲା ଉଦ୍ଦେଶ୍ୟ ।

164

କନକ ବ୍ୟୁରୋ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରହିଥିବା ନିୟମାବଳୀ ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କରୁଛି । ଏପରି ଅଭିଯୋଗ ଆଣି ରୁଜୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଂଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତି । ତିନି ସପ୍ତାହରେ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ୱାର୍ଥ ଓ ଗ୍ରାମସଭାର ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ହାଇକୋର୍ଟ କହିଛନ୍ତି, ସରକାରୀ କର୍ତ୍ତୃର୍ୃପକ୍ଷ ନିଜ ପ୍ରତିଶ୍ରୁତି ମାନିବାକୁ ବାଧ୍ୟ । ୨୦୨୩ ଜୁଲାଇ ୧୧ରେ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ । ପଞ୍ଚାୟତରେ ସାମାଜିକ, ସାଂସ୍କୃତିକ ଉନ୍ନୟନମୂକଳ କାର୍ଯ୍ୟକୁ ଏଥିରେ ସାମିଲ କରାଯାଇଥିଲା । ଏହି ଯୋଜନାରେ କ’ଣ କରାଯିବ ସେ ସଂପର୍କରେ ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରସ୍ତାବ ଦେବେ ବୋଲି କୁହାଯାଇଥିଲା । ଆବେଦନକାରୀ ନଗେନ୍ଦ୍ର କୁମାର ସିଂ ଓ ଅନ୍ୟ ୮ ଜଣ ନିର୍ବାଚିତ ସରପଞ୍ଚ ସେମାନଙ୍କ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲେ । ହେଲେ ଯୋଜନା ଅଧୀନରେ କେମିତି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେନେଇ ସରପଞ୍ଚମାନଙ୍କୁ ଅନ୍ଧାରରେ ରଖାଯାଇଥିଲା । ସରକାରୀ ବିଭାଗ ଉନ୍ନୟନମୂଳକ କାମ କରିବେ ବୋଲି ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ ସରପଞ୍ଚ । ଏହାକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।