ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ : ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ସରକାର, କହିଲେ ଆଇନର ହୋଇନି ଉଲ୍ଲଙ୍ଘନ

209

କନକ ବ୍ୟୁରୋ : ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦ରେ କୌଣସି ନିୟମ ଭଙ୍ଗା ହୋଇନି । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖି ଏପରି ଜବାବ ରଖିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପୂର୍ବରୁ ଏ ନେଇ ଆପତ୍ତି ଉଠାଇଥିଲା । ଏହାପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଜବାବ ରଖିଛନ୍ତି । ସେ କହିଛନ୍ତି ଏହି ଅଧ୍ୟାଦେଶର ମୁଖ୍ୟ ଲକ୍ଷ୍ୟ ହେଲା ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ବ୍ୟବସ୍ଥିତ କରିବା । ଏହି ଅଧ୍ୟାଦେଶ ଆମସା ଆକ୍ଟ, ୧୯୫୮କୁ ଉଲ୍ଲଙ୍ଘନ କରୁନି । ସରକାର କହିଛନ୍ତି, ମନ୍ଦିର ସମ୍ପତ୍ତିକୁ ଲିଜ୍ ଆକାରରେ ଦେବା ପାଇଁ ଦେବୋତର କମିସନଙ୍କୁ କ୍ଷମତା ଦିଆଯାଇଛି ।

ତେଣୁ ମନ୍ଦିରର ସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଆମସା ଆକ୍ଟକୁ ଏହି ଅଧ୍ୟାଦେଶ ବିରୁଦ୍ଧାଚରଣ କରୁନାହିଁ । ମନ୍ଦିର ପରିସରରେ ଓ ବାହାରେ ଦୋକାନ ଖୋଲିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଉଠାଇଥିବା ଆପତି ଉପରେ ସରକାର ଦର୍ଶାଇଛନ୍ତି ଯେ ଏବେ ଲିଙ୍ଗରାଜ ମନ୍ଦିର ପରିସରରେ ୮ଟି ଓ ବାହାରେ ୧୧୫ଟି ପୂଜା ସାମଗ୍ରୀ ଦୋକାନ ରହିଛି । ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଏହି ଦୋକାନଗୁଡ଼ିକ ବର୍ଷ ବର୍ଷ ଧରି ରହିଛି । ଏହି ଦୋକାନଗୁଡ଼ିକୁ ବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି । ତେଣୁ କୀର୍ତିରାଜିକୁ କ୍ଷତି ପହଞ୍ଚାଇବ ନାହିଁ ।