ଭାରତୀୟ ସେନାରେ ଓଡ଼ିଶା ଡ୍ରୋନ୍ । ହିମାଳୟରେ ଉଡୁଛି ଡ୍ରୋନ ବନଭି ଏରୋ । ଘଣ୍ଟାକୁ ୫୦ କିଲୋମିଟର ବେଗରେ କରୁଛି ଗତି

141

କନକ ବ୍ୟୁରୋ: ମରୁଭୁମିଠାରୁ ଆରମ୍ଭ କରି ବରଫାବୃତ୍ତ ଅଞ୍ଚଳରେ ଜାଗ୍ରତ ପ୍ରହରୀ ହୋଇ ଦାୟିତ୍ୱ ତୁଲାଉଛନ୍ତି ଭାରତୀୟ ସୈନିକ । ଖାଦ୍ୟଠାରୁ ଆରମ୍ଭ କରି ଅସ୍ତ୍ର ଶସ୍ତ୍ର ସବୁ ପାହାଡକୁ ନେବାରେ ହୁଏ ଅନେକ ସମସ୍ୟା । କିନ୍ତୁ ଏବେ ଏହି ସମସ୍ୟାକୁ ଦୁର କରିବ ସ୍ୱତନ୍ତ୍ର ଡ୍ରୋନ ବନଭି ଏରୋ । ଓଡିଶାରେ ତିଆରି ହୋଇଥିବା ଏହି ନିଆରା ଡ୍ରୋନ ଏବେ ଭାରତୀୟ ସେନାର ଶକ୍ତି ବଢାଇବ। ହିମାଳୟର ବିଭିନ୍ନ ଅଞ୍ଚଳରେ ଉଡିବାର କ୍ଷମତା ରଖିଥିବା ବନଭି ଏରୋ ଏବେ ସାମିଲ ହୋଇଛି ଭାରତୀୟ ସେନାରେ । ସୈନିକଙ୍କ ପାଖକୁ ଖାଦ୍ୟ ସାମଗ୍ରୀ ପଠାଇବା ସହ ଅସ୍ତ୍ର ଶସ୍ତ୍ରବି ପଠାଇପାରୁଛି ଏହି ସ୍ୱୟଂଚାଳିତ ଡ୍ରୋନ ବନଭି ଏରୋ । ଏନେଇ ଭାରତୀୟ ସେନା ଓ ବନଭି ମଧ୍ୟରେ ହୋଇଛି ଚୁକ୍ତିନାମା।

  • ଭାରତୀୟ ସେନାରେ ଓଡିଶା ଡ୍ରୋନ
  • ହିମାଳୟରେ ଉଡୁଛି ଡ୍ରୋନ ‘ବନଭି ଏରୋ’

ବନ୍ୟା ସମୟରେ ପାଣି ଘେରରେ ଲୋକମାନେ ଫସିଥିବାର ନଜିର ରହିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାରେ ବହୁ ସମୟ ବିତିଯାଏ । କେବଳ ଏତିକି ନୁହେଁ, ଦୁର୍ବିପାକ ସମୟରେ ବିଛିନ୍ନାଞ୍ଚଳରେ ରିଲିଫ ପହଞ୍ଚାଇବା ବି ପ୍ରଶାସନ ପାଇଁ କାଠିକର ପାଠ ହୋଇଯାଏ , ଏହି ସମୟରେ ରିଲିଫ ପହଞ୍ଚାଇବ ଏହି ସ୍ବତନ୍ତ୍ର ଡ୍ରୋନ । ଘଣ୍ଟାକୁ ୫୦ କିଲୋମିଟର ବେଗରେ ଗତି କରିପାରିବା ସହ ୮୦ କିଲୋଗ୍ରାମରୁ ଅଧିକ ଓଜନର ସାମଗ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେଇପାରିବ ଏହି ଡ୍ରୋନ ।

ଗ୍ଲୋବାଲ ପିଚ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନଭି ଏରୋ । ୟୁଏସରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଛି । ଏହି ପୁରସ୍କାର ରାଶିରେ ଡ୍ରୋନର କ୍ଷମତା ବଢାଇବାକୁ ଯୋଜନା ରଖିଛି ବନଭି ଏରୋ ।