ବମିଖାଲ ଓଭର ବ୍ରିଜରେ ଉଡିଗଲା ଟ୍ରାଫିକ ନିୟମ । ସବୁଜାଣି ବି ନିୟମକୁ ଗାଡି ଚକାତଳେ ଦଳିଦେଲେ ଲୋକେ । ବିନା ହେଲମେଟରେ ବୁଲିଲେ, ରଙ୍ଗ ରୁଟରେ ପଶିଲେ

720

କନକ ବ୍ୟୁରୋ: ଟ୍ରାଫିକ ନିୟମ ଟାଇଟ ହେବା ପରେ ସମସ୍ତଙ୍କୁ ଘାରିଛି ଜରିମାନ ଭୟ । ରାଜ୍ୟ ସରକାର ନିୟମକୁ ୩ ମାସ ପାଇଁ କୋହଳ କରିବା ପରେ ବି ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ଦେଉନାହାନ୍ତି ଟ୍ରାଫିକ ପୋଲିସ । ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରି ବେପରୁଆ ଚାଳକଙ୍କ ଛାତିରେ ଛନକା ଭରିଛନ୍ତି । ତେବେ ଆଜିଠୁ ଯାଞ୍ଚ କଡାକଡି ହୋଇଥିଲେ ବି ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଉପରେ ସେ ସବୁ ଆଇନକୁ ପବନରେ ଉଡ଼ାଇ ଦେଇଛନ୍ତି ଲୋକେ । ୱାନ୍ ୱେ ରାସ୍ତାକୁ କେହି ମାନିବାକୁ ନାରାଜ । ଯିଏ ପାରିଲା ମନଇଚ୍ଛା ପଶିଲା । ଦେଖିବାକୁ କେହି ନାହିଁ । ନାଁ ଅଛି ସିସିଟିଭି, ନାଁ ଟ୍ରାଫିକ୍ କର୍ମଚାରୀ ।

ରଙ୍ଗ ରୁଟ୍ ପାଇଁ ୫ ହଜାର ଟଙ୍କା ଜରିମାନା ଥିଲେ ବି ଏଠି ସେ ନିୟମକୁ ଗାଡି ଚକା ତଳେ ଚାପି ଦେଉଛନ୍ତି ଲୋକେ । ୱାନୱେ, ନୋ ୟୁଟର୍ଣ୍ଣ ଭଳି ଚିହ୍ନ ବ୍ରିଜ ଉପରେ ଲାଗିଥିଲେ ବି କାହା ଆଖିରେ ପଡୁନି । ବରଂ ଦେଖିକି ଅଣଦେଖା କରୁଛନ୍ତି ଆଉ ଗାଡିକୁ ଜୋରରେ ମୋଡି ଆଗକୁ ଧାଉଁଛନ୍ତି ।

ଓଭରବ୍ରିଜ୍ ଉପରେ ଗୋଟିଏ ରାସ୍ତାରୁ ଅନ୍ୟ ରାସ୍ତାକୁ ଯିବା ବିପଦଜନକ ଜାଣି ବି ଟିକେ ଫାଙ୍କା ଦେଖିଲେ ପଶି ଯାଉଛନ୍ତି ଲୋକେ । ଏଇ ଦେଖନ୍ତୁ ଦୁଇ ଜଣ ଯୁବକ କେମିତି ବିନା ହେଲମେଟରେ ସାପ ଭଳି ଆସୁଛନ୍ତି । ସେପଟେ ୩ଟି ବାଇକରେ ଯୁବକମାନେ ଏକା ସାଙ୍ଗରେ ରାସ୍ତା ପାରି ହେବାକୁ ମଧ୍ୟ ଟିକେ ବି ଭୟ କରୁନାହାନ୍ତି । ହେଲମେଟ ଚେକିଂ ଉପରେ ଟ୍ରାଫିକ ପୋଲିସ କଡା ନଜର ରଖିଥିଲେ ବି ଏ ବାବୁ ଜଣଙ୍କ ରାସ୍ତା ଉପରେ ରାଜା ଭଳି ଗାଡି ଚଳାଉଛନ୍ତି ଆଉ ଗଣମାଧ୍ୟମର କ୍ୟାମେରା ଦେଖି ମୁରୁକି ହସୁଛନ୍ତି ।

ତେବେ ରାଜଧାନୀର ସମସ୍ତ ସ୍ଥାନରେ ଧରପଗଡ ଜୋରଦାର ହେଉଥିବା ବେଳେ ବମିଖାଲ ଓଭର ବ୍ରିଜ ଉପରେ କେହି ନଥିବାରୁ ମନମାନୀ କରି ବିନା ନିୟମରେ ଗାଡି ଚଳାଉଛନ୍ତି ଲୋକେ । ଯାହା ଲୋକଙ୍କ ସଚେତନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।