ଗାନ୍ଧୀ ପରିବାର ପାଇଁ ବଢିଲା ଅଡୁଆ, ଅର୍ଥ ହେରଫେର ମାମଲାରେ ସୋନିଆ ଓ ରାହୁଲଙ୍କୁ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

181

କନକ ବ୍ୟୁରୋ : ଜାତୀୟ କଂଗ୍ରେସ ପାଇଁ ପୁଣି ଏକ ଅଡୁଆ ଏବେ ଉଭା ହୋଇଛି । ଗୋଟିଏ ପଟେ ଦଳକୁ ସମ୍ଭାଳିବାକୁ ସକ୍ଷମ ହୋଇପାରୁ ନଥିବା ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ତାଙ୍କ ସାଂସଦ ପୁତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି ।

ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର କରିଥିବା ନେଇ ଇଡି ତରଫରୁ ଏଭଳି ନୋଟିସ କରାଯାଇଥିବା ଦାବି କରିଛନ୍ତି କଂଗ୍ରେସ ନେତା । ଦଳୀୟ ନେତା ଅଭିଷେକମନୁ ସଂଘଭୀ ଓ ରଣଦୀପ ସୁରଜୱାଲା ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଭିଷେକମନୁ ସଂଘଭୀ କହିଛନ୍ତି କି, ଏହି ମାମଲାରେ ଇଡି ତରଫରୁ ପଚରା ଉଚରା ପାଇଁ ସୋନିଆ ଗାନ୍ଧୀଙ୍କୁ ଜୁନ ୮ ତାରିଖକୁ ଡକାଯାଇଛି । ସେପଟେ ରଣଦୀପ ସୁରଜୱାଲା କହିଛନ୍ତି କି ଇଡିର ଏଭଳି ନୋଟିସକୁ ଡରିବାର ନାହିଁ କି ନଇଁବାର ନାହିଁ । ଛାତି ବାଡେଇ ଏଭଳି ରାଜନୈତିକ ଅଭିସନ୍ଧି ବିରୋଧରେ କଂଗ୍ରେସ ଲଢେଇ କରିବ ବୋଲି ସେ କହିଛନ୍ତି । ଏହାସହ ସଂଘଭୀ କହିଛନ୍ତି କି ସୋନିଆ ଗାନ୍ଧୀ ଜୁନ ୮ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ହେଲେ ରାହୁଲ ଗାନ୍ଧୀ ବିଦେଶ ଯାତ୍ରାରେ ଥିବାରୁ ସେ ହାଜର ହେବା ନେଇ ଅନିଶ୍ଚିନ୍ତତା ଦେଖା ଦେଇଛି ।

 

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁରଜୱାଲା ଇଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ଏହି ମନଗଢା କାହାଣୀ ପ୍ରସ୍ତୁତ କରିବା ପଛରେ ପ୍ରଧାନମନ୍ତ୍ରୀଙ୍କ ହାତ ରହିଛି । ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଇଡି ଏଭଳି ନୋଟିସ ପଠାଇଥିବା କଥା ସେ କହିଛନ୍ତି ।