ଅଗ୍ନିପଥ ଯୋଜନାରେ ମୋ ଝିଅ ସେନାରେ ଭର୍ତ୍ତି ହେବାକୁ ଚାହୁଁଛି । ଭାଇରାଲ ହେଲା ରବି କିଷନଙ୍କ ଟ୍ୱିଟ୍ ।

496

କନକ ବ୍ୟୁରୋ : କେନ୍ଦ୍ରର ଅଗ୍ନିପଥ ଯୋଜନା ଘୋଷଣା ପରେ ଦେଶର ବିଭିନ୍ନ ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ଅଗ୍ନିପଥ ଯୋଜନା ଅନୁଯାୟୀ ହିଁ ଏଣିକି ସେନାରେ ନିଯୁକ୍ତି ଦିଆଯିବ । ଯାହାକୁ ଅନେକ ବ୍ୟକ୍ତି ସମର୍ଥନ କରୁଥିବା ବେଳେ ଅନେକ ବ୍ୟକ୍ତି ବିରୋଧ କରୁଛନ୍ତି । ବିଜେପି ସାଂସଦ ରବି କିଷନ ମଧ୍ୟ ଏହି ଯୋଜନାକୁ ସମର୍ଥନ କରିବା ସହ କହିଛନ୍ତି ସମସ୍ତେ ଏହାର ଲାଭ ଉଠାନ୍ତୁ । ରବି ଟ୍ୱିଟ୍ କରି କହିଛନ୍ତି, ମୋ ଝିଅ ମଧ୍ୟ ଏହି ଯୋଜନା ଜରିଆରେ ସେନାରେ ଭର୍ତ୍ତି ହେବାକୁ ଚାହୁଁଛି ।

ଟ୍ୱିଟରରେ ରବି ନିଜ ଝିଅ ଇଶିତାଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଇଶିତା ଏନସିସି ଡ୍ରେସକୋର୍ଡରେ ଛିଡା ହୋଇଛନ୍ତି । ଏହି ଟ୍ୱିଟରେ ରବି କିଷନ ଲେଖିଛନ୍ତି, ଆଜି ସକାଳେ ମୋ ଝିଅ ମୋତେ କହିଲା,ଅଗ୍ନିପଥ ଯୋଜନାରେ ମୁଁ ସେନାରେ ସାମିଲ ହେବାକୁ ଚାହୁଁଛି । ଆଉ ଏହା ଶୁଣିବା ପରେ ମୁଁ ମଧ୍ୟ ଝିଅକୁ ଆଗକୁ ବଢିବାକୁ କହିଥିଲି । ରବି କିଷନଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ କହିଛନ୍ତି, ଯେବେ ଇଶିତା ଟ୍ରେନିଂ ନେବେ ସେତେବେଳେ ମଧ୍ୟ ଏକ ଟ୍ୱିଟ୍ କରିଦେବେ ।

ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶରେ ଅସନ୍ତୋଷର ବହ୍ନି ଜଳୁଛି । ସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଥିବା ଅନେକ ଆଶାୟୀ ଏହି ଯୋଜନାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଅନେକ ସ୍ଥାନରେ ଭଙ୍ଗାରୁଜା ହୋଇଥିବାର ଖବର ସାମ୍ନାକୁ ଆସିଛି ।ଆଉ ଏସବୁ ଭିତରେ ସେନା ପକ୍ଷରୁ ଅଗ୍ନିପଥ ଯୋଜନାକୁ ଫେରାଇ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏପରିକି ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।