ମଣିପୁରରେ ବଦଳିବେ କି ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ପହଞ୍ଚିଲେ ମଣିପୁରର କିଛି ବିଧାୟକ । କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା ।

168

କନକ ବ୍ୟୁରୋ: ମଣିପୁରରେ ହେବ କି ଶାସନର ପଟ୍ଟ ପରିବର୍ତ୍ତନ? ବଦଳିବେ କି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ? ଏଭଳି କିଛି ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରେ ଅଛନ୍ତି ମଣିପୁରର କିଛି ବିଧାୟକ । ଚର୍ଚ୍ଚା ହେଉଛି ଏହି ନେତାମାନେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ଦାବି କରିପାରନ୍ତି ।

ମଣିପୁରରେ ହିଂସାକୁ ନେଇ ଏହି ରାଜ୍ୟରେ ରାଜନୀତି ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନ ଚିହ୍ନ ରହିଛି । ବିରୋଧୀ ବହୁ ବାର୍ ତାଙ୍କୁ ପଦରୁ ହଟାଇବାକୁ ଦାବି କରି ଆସୁଥିବାବେଳେ, ଏହି ରାଜ୍ୟରେ କ୍ଷମତାର ପଟ୍ଟ ପରିବର୍ତ୍ତନ ହେଇପାରେ ବୋଲି କୁହାଯାଉଛି । ତେବେ ନିଜେ ବୀରେନ୍ ସିଂ ଏହି ଦାବିକୁ ଖାରଜ କରୁଥିବାବେଳେ, ତାଙ୍କର ବିରୋଧୀ ଏପରି କଥା ପ୍ରଘଟ କରୁଛନ୍ତି ବୋଲି ସେ କହିଛନ୍ତି ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ କହିଛନ୍ତି ଯେ, ସେ ଗୁରୁବାର ବିଧାୟକ ଦଳର ବୈଠକ କରିଥିଲେ । ଏଥିରେ ରାଜ୍ୟରେ ଶାନ୍ତି କାଏମ୍ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ, ଲୋକସଭା ନିର୍ବାଚନରେ ବଡ ବିଜୟ ପରେ ଦିଲ୍ଲୀ ଯାଇ କିଛି ନେତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ମେ ମାସ ୩ ତାରିଖରେ ମଣିପୁରରେ ଭୟଙ୍କର ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ରାଜନୀତି ତେଜିବା ସହ, ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ।