ଭାରତର ଏହି ସ୍ଥାନରେ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ଏଭଳି ଅଦ୍ଭୁତ ଶ୍ରୀକୃଷ୍ଣ ମନ୍ଦିର, ଜନ୍ମାଷ୍ଟମୀରେ ଭଗବାନଙ୍କ ଦିଆଯାଏ ୨୧ ତୋପ ସଲାମୀ

187

କନକ ବ୍ୟୁରୋ : ଆଜି ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ବା ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏହି କ୍ରମରେ ଦେଶରେ ଥିବା ବିଭିନ୍ନ କୃଷ୍ଣ ମନ୍ଦିରରେ ଭଗବାନଙ୍କୁ ଶ୍ରଦ୍ଧାଳୁମାନେ ସୁନ୍ଦର ବେଶରେ ସଜାଇଛନ୍ତି । ଗୋଟିଏ ପଟେ ମଥୁରାର ଶ୍ରୀକୃଷ୍ଣ ମନ୍ଦିର ତ ବିଶ୍ୱ ପ୍ରସିଦ୍ଧ ହେଲେ ରାଜସ୍ଥାନରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର କିନ୍ତୁ ସବୁଠାରୁ ନିଆରା । ଏଠାରେ ଜନ୍ମାଷ୍ଟମୀ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ୨୧ ତୋପ ସଲାମୀ ପ୍ରଦାନ କରାଯାଇଥାଏ । ଏଥିପାଇଁ ସରକାରଙ୍କ ତରଫରୁ ବିଧିବଦ୍ଧ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ବିଧି ମୁତାବକ ଯେତେବେଳେ ମନ୍ଦିର ଭିତରୁ ବାଲ ଗୋପାଲଙ୍କ ଜନ୍ମ ନେଇ ସୂଚନା ଦିଆଯାଇଥାଏ ବାହାରେ ପ୍ରସ୍ତୁତ ଥିବା ପୋଲିସ ତରଫରୁ ତୋପ ସଲାମୀ ଆରମ୍ଭ ହୋଇଥାଏ । ଏହାକୁ ଦେଖିବାକୁ ହଜାର ହାଜର ସଂଖ୍ୟାର ଶ୍ରଦ୍ଧାଳୁ ଉପସ୍ଥିତ ଥାନ୍ତି ।

ରାଜସ୍ଥାନର ଉଦୟପୁର ଠାରେ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଶ୍ରୀନାଥଜୀ ମନ୍ଦିର । ଏହା ସେଠିକାର ବଲ୍ଲଭ ସଂପ୍ରଦାୟଙ୍କର ଏକ ପ୍ରମୁଖ ପୂଜାସ୍ଥଳ । ଏଠାରେ ଜନ୍ମାଷ୍ଟମୀ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏହି ମନ୍ଦିରରେ ଅନ୍ୟ ମନ୍ଦିର ମାନଙ୍କ ଠାରୁ ଜନ୍ମାଷ୍ଟମୀ ମହୋତ୍ସବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ପ୍ରଥମେ ଶ୍ରୀନାଥଜୀଙ୍କୁ ପଞ୍ଚାମୃତ ଓ ଚନ୍ଦନରେ ସ୍ନାନ କରାଯାଇଥାଏ ଓ ପରେ ତାଙ୍କର ବସ୍ତ୍ର ଓ ଆଭୂଷଣରେ ଶୃଙ୍ଗାର କରାଯାଇଥାଏ । ମହାଭୋଗ ଭାବେ ବଡ ବଡ ଲଡୁ ଭୋଗ କରାଯାଇଥାଏ ।

ସେପଟେ ଜନ୍ମାଷ୍ଟମୀ ପରଦିନ ସକାଳେ ବିଧିପୂର୍ବକ ନନ୍ଦ ମହୋତ୍ସବ ପାଳନ କରାଯାଇଥାଏ । ଏହିଦିନ ଲୋକମାନେ କ୍ଷୀର ଓ ଦହିରେ ହୋଲି ଖେଳିଥାନ୍ତି ।