ତୃତୀୟ ଟି-୨୦ରେ ଭାରତକୁ ଝଟକା: ଖେଳିବେନି ଇଶାନ କିଷାନ

132

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଭାରତକୁ ବଡ ଝଟକା । ତୃତୀୟ ଟି-୨୦ରେ ମୈଦାନକୁ ଓହ୍ଲାଇବେନି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଇଶାନ କିଷାନ । ଦ୍ୱିତୀୟ ଟି-୨୦ରେ ମୁଣ୍ଡରେ ଆଘାତ ଲାଗୁଥିବାରୁ ତାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ତାଙ୍କ ସ୍ଥାନରେ ଓପନିଂ କିଏ କରିବ ଏନେଇ ନିଷ୍ପତ୍ତି ହୋଇନାହିଁ ।

ଦ୍ୱିତୀୟ ଟି-୨୦ ମ୍ୟାଚର ଚତୁର୍ଥ ଓଭରରେ ଇଶାନ ୧୪ ରନରେ ବ୍ୟାଟିଂ କରୁଥିବା ବେଳେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାହିରୁ କୁମାରାଙ୍କ ଏକ ବାଉନ୍ସର ବଲ ଇଶାନ କିଷାନଙ୍କ ହେଲମେଟରେ ବାଜିଥିଲା । ଆଉ ତତକ୍ଷଣାତ ହେଲମେଟ ଓହ୍ଲାଇ ପଡିଆ ମଝିରେ ବସି ପଡିଥିଲେ ଇଶାନ । ଏହାପରେ ତୁରନ୍ତ ଭାରତର ଫିଜିଓ ପଡିଆରେ ପହଞ୍ଚି କିଛି ସମୟ ପାଇଁ ଇଶାନଙ୍କର ଚିକିତ୍ସା କରିଥିଲେ । ଆଉ ପରେ ପୁଣିଥରେ କ୍ରିଜକୁ ଫେରିଥିଲେ ଇଶାନ । କିନ୍ତୁ ନିଜ ସ୍କୋର ବୋର୍ଡରେ ଆଉ ୨ ରନ୍ ଯୋଡିବା ପରେ ଲାହିରୁ କୁମାରାଙ୍କ ଶିକାର ବନିଥିଲେ ଇଶାନ ।

ମିଳିଥିବା ସୂଚନା ମୁତାବକ, ମ୍ୟାଚ୍ ପରେ ଇଶାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଏବେ ଇଶାନ ସୁସ୍ଥ ଥିବା ସୂଚନା ମିଳିଥିବା ବେଳେ ଆଜି ମ୍ୟାଚରେ ମୈଦାନକୁ ଓହ୍ଲାଇବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । କେବଳ ଇଶାନ ନୁହଁନ୍ତି ଶ୍ରୀଲଙ୍କାର ବ୍ୟାଟର ଦିନେଶ ଚାଣ୍ଡିମଲ ବି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚାଣ୍ଡିମଲ ଦ୍ୱିତୀୟ ଟି-୨୦ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ଇଶାନ ଯଦି ଆଜି ମୈଦାନକୁ ନ ଓହ୍ଲାନ୍ତି ତେବେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିପାରେ । ଏହାବାଦ୍ ଯେହେତୁ ଭାରତ ସିରିଜ ବିଜୟୀ ହୋଇ ସାରିଛି ତେଣୁ ତୃତୀୟ ମ୍ୟାଚରେ ଅନ୍ୟ ଖେଳାଳୀଙ୍କୁ ସୁଯୋଗ ମିଳିପାରେ । ଯେଉଁମାନଙ୍କ ମଧ୍ୟରେ ରବି ବିଷ୍ଣୋୟୀ, କୁଳଦୀପ ଯାଦବ, ଅଭେଶ ଖାନ୍, ମହମ୍ମଦ ସିରାଜ ରହିଛନ୍ତି । ତେଣୁ ରୋହିତ କାହାକୁ ତୃତୀୟ ଟି-୨୦ରେ ମୈଦାନକୁ ଓହ୍ଲାଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।