ଟୋକିଓରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

85

କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜାପାନରେ କ୍ୱାଡ୍ ସମ୍ମିଳନୀରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ବ୍ୟତୀତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ୍ ହେଉଥିବା ନେଇ ବୈଠକରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଭାରତ-ପ୍ରଶାନ୍ତ ମହାସାଗରୀୟ ସ୍ଥାନମାନଙ୍କରେ ସମଭାବପନ୍ନ ଦେଶଗୁଡ଼ିକୁ ସାଙ୍ଗରେ ନେଇ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ କ୍ୱାଡରେ ୪ ଦେଶର ଏକାଠି ଦ୍ୱାରା ବିସ୍ତାରବାଦୀ ଦେଶ ବିରୋଧରେ ଶକ୍ତି ବୃଦ୍ଧି ପାଇବ । କ୍ୱାଡ୍ ବହୁତ ଖୁବ୍ ସମୟ ଭିତରେ ବିଶ୍ୱସ୍ତରରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ଏବେ କ୍ୱାଡର ପରିଚୟ ସାରା ବିଶ୍ୱରେ ମହତ୍ୱପୂର୍ଣ୍ଣ ହୋଇପାରିଛି । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ ଭାରତ ସହ ଆମେରିକାର ସମ୍ପର୍କ ଅଧିକ ସୁଦୃଢ଼ ଓ ଘନିଷ୍ଠ ହେଉଛି । କ୍ୱାଡ୍ ବୈଠକରେ ଆମେରିକା, ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗ ଉଠାଇଛି ।

ବାଇଡେନ୍ କହିଛନ୍ତି, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟ ଗୋଟିଏ କିମ୍ବା ଦେଶର ପ୍ରସଙ୍ଗ ନୁହେଁ ବରଂ ପୂରା ବିଶ୍ୱ ପାଇଁ ସଂକଟ । ପୁଟିନ୍ ଏକ ସଂସ୍କୃତିକୁ ଶେଷ କରିବାକୁ ପ୍ରୟାସ କରୁଛନ୍ତି । ଏବେ କେବଳ ୟୁରୋପର ପ୍ରସଙ୍ଗ ହୋଇ ରହିନାହିଁ ବରଂ ଏକ ବୈଷୟିକ ପ୍ରସଙ୍ଗ ହୋଇସାରିଛି । ଯେପର୍ଯ୍ୟନ୍ତ ରୁଷ୍ ଯୁଦ୍ଧ ଜାରି ରଖିବ, ଆମେରିକା ତା’ର ସହଯୋଗୀଙ୍କ ସହାୟତା ମଧ୍ୟ କରିବା ଜାରି ରଖିବ ବୋଲି ବାଇଡେନ୍ କହିଛନ୍ତି । ମୋଦୀ ଓ ବାଇଡେନଙ୍କ ସହ ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଓ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । କ୍ୱାଡରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଅଛନ୍ତି ।