ହକି ବିଶ୍ୱକପ୍ ପାଇଁ ଝଲସୁଛି ସହର: ହେଲେ ଏବେ ବି ଖପର ଘରେ ରହୁଛନ୍ତି ଭାରତୀୟ ଦଳର ଖେଳାଳି ନୀଲମ ସଞ୍ଜୀପଙ୍କ ପରିବାର

471

କନକ ବ୍ୟୁରୋ: ମାଟି ଘରେ ବିଶ୍ୱକପ୍ ତାରକା । ଝାଟି ମାଟିର ଖପର ଘରେ ରହୁଛନ୍ତି ବିଶ୍ୱକପ୍ ପାଇଁ ଗଠିତ ଭାରତୀୟ ଦଳର ଖେଳାଳି ନୀଲମ ସଞ୍ଜୀପ ଖେସଙ୍କ ପରିବାର । ସୁନ୍ଦରଗଡ଼ ଜିଲ୍ଲା କୁଅାଁରମୁଣ୍ଡା ବ୍ଳକର ସାରନାଟୋଲା ଗାଁରେ ନୀଲମଙ୍କ ଘର । ଚାଷୀ ପରିବାରରୁ ଯାଇ ଭାରତୀୟ ହକି ଦଳରେ ନିର୍ଭରଯୋଗ୍ୟ ଡିଫେଣ୍ଡର ଭାବେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି ନୀଲମ ସଞ୍ଜୀପ ଖେସ୍ । ନୀଲମଙ୍କ ଏହି ଘରକୁ ଦେଖିଲେ ଆଧୁନିକତାରୁ ଯୋଜନ ଦୂରରେ ଥିବା ଜଣାପଡ଼େ । ନୀଲମଙ୍କ ପରିବାର କହିଲେ ବାପା ବିପିନ ଖେସ, ମା ଜୀରା ଖେସ୍, ଦୁଇ ଭଉଣୀ । ୪୦ ବର୍ଷ ପୂର୍ବେ ଧାରକରଜ କରି ଏହି ମାଟି ଘରକୁ ତିଆରି କରିଥିଲେ ସଞ୍ଜୀପଙ୍କ ବାପା । ନିଜସ୍ୱ ଚାଷ ଜମି କହିଲେ ମାତ୍ର ୪୫ ଡିସିମିଲ ଯାଗା । ଏତିକିରେ ଧାନ ଚାଷ କରିବା ସମ୍ଭବ ହେଉନଥିବାରୁ କିଛି ପନିପରିବା ଚାଷ କରୁଛନ୍ତି ନୀଲମଙ୍କ ବାପା ।

ଗାଁର ଶୁଖିଲା ମାଟି ପଡ଼ିଆ ଓ କେନ୍ଦୁ ଗଛ ଡାଳରେ ତିଆରି ହକି ବାଡିରେ ଖେଳିବା ଆରମ୍ଭ କରିଥିଲେ ନୀଲମ । ଗାଁ ସ୍କୁଲରେ ପାଠ ପଢ଼ିବା ସମୟରେ ହକି ଖେଳ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ସ୍କୁଲର ଖେଳ ଶିକ୍ଷକଙ୍କ ପରାମର୍ଶକ୍ରମେ ନୀଲମଙ୍କୁ ସାଇ ସ୍ପୋର୍ଟସ ହଷ୍ଟେଲ ଯିବାକୁ ଅନୁମତି ମିଳିଥିଲା । ସେବେଠାରେ ଆଉ ପଛକୁ ଫେରିନାହାନ୍ତି ନୀଲମ । ୨୦୧୬ରେ ଜାତୀୟ ଦଳରେ ସ୍ଥାନ ପାଇବା ଠାରୁ ଏବେ ସୁଦ୍ଧା ୩୪ଟି ଆନ୍ତର୍ଜାତୀକ ମ୍ୟାଚ ଖେଳିସାରିଲେଣି ସଞ୍ଜୀପ । ଏବେ ଭାରତୀୟ ଦଳରେ ଡିଫେଣ୍ଡର ଭାବେ ସ୍ଥାନ ବଜାୟ ରଖି ଚଳିତ ବିଶ୍ୱକପ ନିଜ ହୋମ ଗ୍ରାଉଣ୍ଡରେ ଖେଳିବାକୁ ଯାଉଛନ୍ତି ୨୩ ବର୍ଷିୟ ନୀଲମ ସଞ୍ଜୀପ ଖେସ୍ ।

ଚଳିତ ଥର ବିଶ୍ୱକପ୍ରେ ଅମିତ୍ ରୋହିଦାସ୍ ଓ ନୀଲମ ସଞ୍ଜୀପ ଖେସ ଭାରତୀୟ ଦଳ ପକ୍ଷରୁ ଖେଳୁଥିବାରୁ ପରିବାର ଓ ସାଙ୍ଗସାଥୀଙ୍କ ଖୁସି କହିଲେ ନସରେ । କିନ୍ତୁ ସଞ୍ଜୀପଙ୍କ ଏହି ଘରକୁ ଦେଖିଲେ ଜଣାପଡେ କେତେ ବିକଶିତ ସଞ୍ଜୀପଙ୍କ ଘର ଏବଂ ଗାଁ ପରିବେଶ ।