ଦେଶକୁ ବିଦ୍ୟୁତ୍ ଶକ୍ତି ଚିନ୍ତା । ଏସବୁ ଦେଶରୁ କୋଇଲା ଆମଦାନୀ କରିବ ଭାରତ ।

173

କନକ ବ୍ୟୁରୋ: ଦେଶରେ ଦେଖାଯାଉଥିବା କୋଇଲା ସଙ୍କଟର ମୁକାବିଲା ପାଇଁ ଏବେ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କଲାଣି ଭାରତ । ଆଗାମୀ ଦିନରେ ସରକାରୀ କମ୍ପାନୀ କୋଲ୍ ଇଣ୍ଡିଆ ଜରିଆରେ ବିଭିନ୍ନ ଦେଶରୁ କୋଇଲା ମଗାଇବା ଲାଗି ଉଦ୍ୟମ ଅରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଋଷ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ସହ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡିଛି । ରିହାତିରେ କୋଇଲା ଯୋଗାଇବା ଲାଗି ସେମାନଙ୍କ ସହ ଆଲୋଚନା ହେଉଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଦାୟିତ୍ୱ ହାତକୁ ନେଇଛି ଓ ଏଥିରେ ଅର୍ଥ ମନ୍ତ୍ରଣାଳୟ , କୋଲଇଣ୍ଡିଆ, କୋଇଲା ଓ ଶକ୍ତି ମନ୍ତ୍ରଣାଳୟକୁ ମଧ୍ୟ ସାମିଲ କରାଯାଇଛି ।

ବର୍ଷାୠତୁରେ ଖଣିରେ ପାଣି ଭର୍ତ୍ତି ହୋଇଯିବା କାରଣରୁ କୋଇଲା ଉତ୍ପାଦନ ଓ ପରିବହନ ବ୍ୟାହତ ହୋଇଥାଏ । ସେଥିପାଇଁ ଗତ ବର୍ଷ ଦେଶରେ ବଡ ଧରଣର କୋଇଲା ସଙ୍କଟ ଦେଖାଯାଇଥିଲା । ଏଭଳି ସ୍ଥିତିର ପୂର୍ବାନୁମାନ କରିବାରେ ବିଫଳ ହୋଇଥିବା ଥର୍ମାଲ ପାୱାର ପ୍ଳାଣ୍ଟ ଗୁଡିକ ନିଜ ଆବଶ୍ୟକତା ଅନୁଯାୟୀ କୋଇଲା ଗଚ୍ଛିତ ରଖିପାରିନଥିଲେ । ଚଳିତ ବର୍ଷ ସେଭଳି ସଙ୍କଟକୁ ଲଏଡାଇବା ଲାଗି ଦଶ ଭିତରେ ଉତ୍ପାଦନ ହେଉଥିବା କୋଇଲା ସହ ଆମଦାନି କରାଯିବାକୁ ଥିବା କୋଇଲା ମିଶାଇ ପାୱାର ପ୍ଳାଣ୍ଟ ଗୁଡିକୁ ଦିଆଯିବ । କମ୍ପାନିଗୁଡିକ ନିଜ ଉଦ୍ୟମରେ କୋଇଲା ଆମଦାନି କରିବାକୁ ଅକ୍ଷମତା ପ୍ରକାଶ କରିବା ପରେ କେନ୍ଦ୍ର ସରକାର ନିଜେ ସେମାନଙ୍କ ପକ୍ଷରୁ ବିଭିନ୍ନ ଦେଶର ସରକାରଙ୍କ ସହ ମୁଲଚାଲ କରିଛନ୍ତି । ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କୋଇଲାର ଆବଶ୍ୟକତା ପୂରଣ କରିବାକୁ ବିଦେଶରୁ କୋଇଲା ଆମଦାନି କରିବାକୁ ତ୍ୱରାନ୍ୱିତ କରାଯାଉଛି ।

ଦେଶର ୧୭୩ଟି ପାୱାର ପ୍ଳାଣ୍ଟରେ ୨୩.୩୨ ନିୟୁତ ଟନ୍ କୋଇଲା ରହିଛି ଯାହା ମୋଟ ଆବଶ୍ୟକତାର ୩୫% ସହ ସମାନ । ସମ୍ପୂର୍ଣ୍ଣ ରୂପେ ଦେଶ ଭିତରେ ଉତ୍ପାଦନ ହେଉଥିବା କୋଇଲା ଉପରେ ନିର୍ଭରଶୀଳ ୮୪ଟି ପାୱାରପ୍ଲାଣ୍ଟ ପାଖରେ ଆବଶ୍ୟକତାର ୨୫% କୋଇଲା ରହିଛି ଓ ୯ଟି ପାୱାର ପ୍ଲାଣ୍ଟ ରେ କୋଇଲାର ଗଚ୍ଛିତ ସ୍ଥିତି ଚିନ୍ତାଜନକ ରହିଛି ।