ହାତୀ ମୃତ୍ୟୁ ମାମଲା : ସରକାରଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ, ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

58

କନକ ବ୍ୟୁରୋ : ହାତୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ହାତୀମୃତ୍ୟୁର ତଥ୍ୟ ଅସ୍ପଷ୍ଟ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ସାନି ସତ୍ୟପାଠ ଦାଖଲ କରିବାକୁ ପିସିସିଏଫ ବା ମୁଖ୍ୟ ବନ୍ୟ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ରିପୋର୍ଟ ସତ୍ୟପାଠରେ ଦେବାକୁ କହିଛନ୍ତି ହାଇକୋର୍ଟ ।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀ ଧର ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ହାତୀ ଶିକାର ଘଟଣାର ଅଂଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ତଥା ଏତଲା ପଞ୍ଜିକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ୍, କେଉଁ ମାମଲାର ଟ୍ରାଏଲ ଚାଲିଛି, କେଉଁ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏସବୁର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।