ଡେଲିଭରୀ ଏଜେଣ୍ଟଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଲାଗୁ ହେବ ପେନସନ୍ ଓ ବୀମା ବ୍ୟବସ୍ଥା

485

କନକ ବ୍ୟୁରୋ: ଟ୍ୟାକ୍ସି ଚାଳକ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଡେଲିଭରୀ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ପାଇଁ ଏଯାଏଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ । ଲୋକମାନଙ୍କ ପାଖରେ ସେମାନଙ୍କ ପସନ୍ଦର ସାମଗ୍ରୀ ପହଞ୍ଚାଇବା ଠାରୁ ଆରମ୍ଭ କରି ଖାଦ୍ୟ ପହଞ୍ଚାଇବା ଏପରି ସେମାନଙ୍କ ଇଚ୍ଛା ମୁତାବକ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ଗାଡିରେ ନେଇ ପହଞ୍ଚାଇବା କାମ କରୁଥିବା ଏହି କର୍ମଚାରୀମାନେ ସାମାଜିକ ସୁରକ୍ଷା ପରିସରରୁ ବାହାରେ । ବୃଦ୍ଧାବସ୍ଥା କିମ୍ବା ଅବସର ସମୟ ପାଇଁ ସେମାନଙ୍କ ପାଖରେ କୌଣସି ସମ୍ବଳ ନାହିଁ । ତେଣୁ ସମସ୍ତଙ୍କୁ ସେବା ଯୋଗାଇଆସୁଥିବା ଏହି ଏଜେଣ୍ଟମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଚିନ୍ତା କରିଛନ୍ତି ନୀତି ଆୟୋଗ ।

ଖୁବଶୀଘ୍ର ଏମାନଙ୍କ ପାଇଁ ପେନସନ୍ ଓ ଜୀବନବୀମାର ବ୍ୟବସ୍ଥା କରାଯିବ । ସମସ୍ତ ଡେଲିଭରୀ ଏଜେଣ୍ଟ ଓ ଡ୍ରାଇଭରଙ୍କୁ ଦୁର୍ଘଟଣା ବୀମା ପ୍ରଦାନ କରିବା ଲାଗି ନୀତି ଆୟୋଗ ପରାମର୍ଶ ଦେଇଛି । ଘରୋଇ ସଂସ୍ଥା କିମ୍ବା ସରକାରଙ୍କ ସହ ମିଶି କମ୍ପାନୀଗୁଡିକ ଏଥିପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ବୋଲି କୁହାଯାଇଛି । କାମ କରିବା ସମୟରେ କୌଣସି ଦୁର୍ଘଟଣା ଘଟି ଚାକିରି ହରାଇଲେ କିମ୍ବା ଆୟ ବନ୍ଦ ହୋଇଯିବା ଯୋଗୁଁ ସୃଷ୍ଟି ହେଉଥିବା ସ୍ଥିତିର ମୁକାବିଲା କରିବାକୁ ଡେଲିଭରୀ ଏଜେଣ୍ଟ, ଟାକ୍ସି ଚାଳକ ମାନଙ୍କୁ ଅବସରକାଳୀନ ଯୋଜନା, ବାର୍ଦ୍ଧକ୍ୟ ସମୟର ସୁବିଧା ଓ ଅନ୍ୟାନ୍ୟ ବୀମା ସୁବିଧା ଦେବା ବାବଦରେ କମ୍ପାନୀଗୁଡିକ ବିଚାର କରିବା ଆବଶ୍ୟକ ବୋଲି ନୀତି ଆୟୋଗ ଏକ ରିପୋର୍ଟ ଜାରି କରି ପ୍ରସ୍ତାବ ଦେଇଛନ୍ତି ।

ସାମାଜିକ ସୁରକ୍ଷା କୋଡ୍-୨୦୨୨ ଅନୁସାରେ ସରକାରଙ୍କ ସହ ମିଶି ଏହି ସୁବିଧାସୁଯୋଗ ଯୋଗାଇ ପାରିବେ । ବର୍ଷ ସାରା କମ୍ପାନୀ ପାଇଁ କାମ କରୁଥିବା ଏଜେଣ୍ଟମାନଙ୍କ ପାଇଁ ଅସୁସ୍ଥତା ଜନିତ ଛୁଟି, ସ୍ୱାସ୍ଥ୍ୟ ବୀମାର ବ୍ୟବସ୍ଥା କରିବାକୁ ମଧ୍ୟ କମ୍ପାନୀଗୁଡିକୁ କୁୁହାଯାଇଛି । ଏହି ରିପୋର୍ଟରେ ପ୍ଳାନିଙ୍ଗ କମିଶନ୍ ଆକଳନ କରିଛି ଯେ, ୨୦୨୦-୨୧ ବର୍ଷରେ ଏମାନଙ୍କ ସଂଖ୍ୟା ୭୭ ଲକ୍ଷରେ ଥିଲା । ୨୦୨୯-୩୦ ସୁଦ୍ଧା ଡେଲିଭରୀ ଏଜେଣ୍ଟଙ୍କ ସଂଖ୍ୟା ୨କୋଟି ୩୫ ଲକ୍ଷ ପାଖାପାଖି ପହଞ୍ଚିବ । ତେଣୁ ସମାଜରେ ସେମାନଙ୍କ ସୁରକ୍ଷା ପାଇଁ ବାମୀ ଓ ପେନସନ୍ ବ୍ୟବସ୍ଥା ଲାଗୁ କରିବା ଜରୁରୀ ବୋଲି ପ୍ଲାନିଙ୍ଗ କମିଶନ କହିଛନ୍ତି ।

ଡେଲିଭରୀ ଏଜେଣ୍ଟଙ୍କୁ ଗିଗ୍ ୱାର୍କର୍ସ ବୋଲି କୁହାଯାଏ । କିଗ୍ ସେକ୍ଟରରେ ନୀତି ଆୟୋଗର ଏହା ହେଉଛି ପ୍ରଥମ ସର୍ଭେ । ଆୟୋଗର ରିପୋର୍ଟ ମୁତାବକ, ଦେଶରେ ଏମାନଙ୍କ ସଂଖ୍ୟା ଆଖି ଦୃଶିଆ ଭାବେ ବଢିଚାଲିଛି । ଦେଶର ପୁରା ଜୀବନଜୀବିକା ହାର ମଧ୍ୟରୁ ଗିଗ୍ ସେକ୍ଟରର ଜୀବିକା ହାର ହେଉଛି ୪.୧ ପ୍ରତିଶତ । ଦେଶର ଆର୍ଥିକ ଚିତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏମାନଙ୍କ ମଧ୍ୟରୁ ୪୭ପ୍ରତିଶତ ଏଜେଣ୍ଟ ମଧ୍ୟମ କୁଶଳୀ ହୋଇଥିବାବେଳେ ୨୨ ପ୍ରତିଶତ ଦକ୍ଷତାସମ୍ପନ୍ନ । ହେଲେ ଏମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏମାନଙ୍କ କାର୍ଯ୍ୟ ଦକ୍ଷତା ହ୍ରାସ ପାଇବାର ଆଶଙ୍କା ରହିଛି । ସେ ଦୃଷ୍ଟିରୁ ଏମାନଙ୍କୁ ଗୁରୁତ୍ୱ ଦେବାକୁ ସମ୍ପୃକ୍ତ କମ୍ପାନୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି ପ୍ଲାନିଙ୍ଗ କମିଶନ୍ ।