ବିଦେଶରେ ଚାକିରି ଦେବାକୁ କହି ଶହେରୁ ଅଧିକ ଲୋକଙ୍କଠାରୁ ଟଙ୍କା ଠକେଇ । ୨ କୋଟିରୁ ଅଧିକ ଟଙ୍କା ନେଇ ଫେରାର ଦଲାଲ ।

79

କନକ ବ୍ୟୁରୋ: ବିଦେଶରେ ଚାକିରି ଦେବାକୁ କହି ଶହେରୁ ଅଧିକ ଲୋକଙ୍କ ଠାରୁ ଟଙ୍କା ଠକେଇ । ଅଭିଯୁକ୍ତ ଦଲାଲ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଚହଳ ପକାଇଛି । ଟଙ୍କା ଦେଇ ନିରାଶ ହୋଇଥିବା ଲୋକେ ଜରଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଟଙ୍କା ଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁର ଏସ୍ ଯୋଗେଶ ରେଡ୍ଡୀ ପୋଲାଣ୍ଡରେ ଚାକିରି କରାଇ ଦେବାକୁ କହି ଦେଢ଼ଲକ୍ଷ ଲେଖାଏଁ ଟଙ୍କା ନେଇଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଚାକିରି ଆଶାୟୀମାନେ ଏକାଧିକ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଜରଡ଼ା, କେ ନୂଆଗାଁ, ଗୋଳନ୍ଥରା ଥାନା ଅଞ୍ଚଳର ବିଭିନ୍ନ ଗାଁ ଲୋକଙ୍କ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଇଛାପୁର, କାବିଟି ଓ କାଞ୍ଚିଲି ଥାନା ଅଞ୍ଚଳର ଲୋକ ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି ।

ତେବେ ୧୨୦ରୁ ଅଧିକ ଲୋକଙ୍କ ଟଙ୍କା ନେଇ ଯୋଗେଶ ଫେରାର ହୋଇଯାଇଛନ୍ତି । ଏପଟେ ଟଙ୍କା ଦେଇଥିବା ଲୋକମାନେ ନିରାଶ ହୋଇପଡ଼ିଛନ୍ତି । ଶେଷରେ ସେମାନେ ଜରଡ଼ା ଥାନରେ ଲିଖିତ ଏତଲା ଦେଇଛନ୍ତି । ଏହାପରେ ଜରଡ଼ା ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଲୋକମାନେ ଯେଉଁସବୁ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ, ସେସବୁ ଆକାଉଣ୍ଟ ନେଇ ଖୋଳତାଡ଼ କରୁଛି ପୋଲିସ୍ ।