ଦିଲ୍ଲୀ ଆଜାଦ ମାର୍କେଟରେ ଭୁଶୁଡିଲା ୪ ମହଲା କୋଠା । ୩ ଶ୍ରମିକ ମୃତ, ଏବେବି ମାଟିତଳେ ଅନେକ ଶ୍ରମିକ

94

କନକ ବ୍ୟୁରୋ: ଦିଲ୍ଲୀ ଆଜାଦ ମାର୍କେଟରେ ଅଘଟଣ । ଏଠାରେ ଏକ ନିର୍ମାଣାଧିନ ୪ ମହଲା କୋଠା ଭୁଶୁଡିବାରୁ ୩ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେବି ମାଟିତଳେ ୬ରୁ ୭ଜଣ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ମୁତାବକ, ଆଜାଦ ମାର୍କେଟ ଶିଶ୍ ମହଲରେ ବିଲ୍ଡିଙ୍ଗ କାମ ଚାଲିଥିଲା । ହଠାତ୍ ଏହା ଭୁଶୁଡିପଡିଥିଲା । ଏହାତଳେ ଏକାଧିକ ଶ୍ରମିକ ଏବେବି ଚାପି ହୋଇ ରହିଥିବା କୁହାଯାୁଛି । ଏ ବିଷୟରେ ସକାଳ ପାଖାପାଖି ୮ଟା ୫୦ ମିନଟରେ ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର ଚଳାଇଛି । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଆଉ କିଛି ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯେଉଁ ସମୟରେ ଏହି ଘଟଣା ଘଟିଲା ସେ ସମୟରେ ସ୍କୁଲ ପିଲାମାନେ ସେହି ବାଟ ଦେଇ ଯାଉଥିଲେ । ସ୍କୁଲ ପିଲାଙ୍କର କିଛି କ୍ଷତି ବାବଦରେ ଏଯାଏଁ କିଛି ଜଣାପଡିନଥିଲେ ବି କେତେଜଣ ମାଟିତଳେ ଚାପି ହୋଇ ରହିଛନ୍ତି ତା’ର ସଠିକ୍ ଆକଳନ କାହାରି ପାଖରେ ନଥିବା କୁହାଯାଉଛି ।