କଅଁଳ ପିଠିରେ ପରିବାର ବୋଝ । ପାଠପଢାରେ ବାଧକ ହେଉଛି ଘରର ଦାୟିତ୍ୱ

189

କନକ ବ୍ୟୁରୋ: ଆଖିରେ ଆଖିଏ ସ୍ୱପ୍ନ । ହେଲେ ସବୁ ସ୍ୱପ୍ନକୁ ଭାଙ୍ଗି ଦେଉଛି ପ୍ରତିକୂଳ ପରିସ୍ଥିତି । ଯେଉଁ ବୟସରେ ଖେଳକୁଦ କରିବା କଥା ସେ ବୟସ କଟୁଛି ଘର କରଣା କାମରେ, ଯେଉଁ ସମୟରେ ସ୍କୁଲ ଯାଇ ପାଠ ପଢିବା କଥା ସେ ସମୟ କଟୁଛି ଭିନ୍ନକ୍ଷମ ବାପାଙ୍କୁ ସହଯୋଗ କରିବାରେ । ଆମେ କହୁଛୁ ଝାରସୁଗୁଡା ଷ୍ଟେସନ ଇଲାକାରେ ରହୁଥିବା ୧୨ ବର୍ଷର ପୁଅ ଶୁଭମ୍ ଯାଦବଙ୍କ କଥା ।

ଶୁଭମଙ୍କ ବାପା ରାମଶଙ୍କର ଯାଦବ ଭିନ୍ନକ୍ଷମ । ମା’ ଥିଲେ ଯେ, କଷ୍ଟେମଷ୍ଟେ ଘର ଚଳାଇନେଉଥିଲେ । ସେତକ ବି ବିଧି ସହିଲାନାହିଁ । କିଛି ବର୍ଷ ପୂର୍ବରୁ ସିଏ ବି ଆରପାରିକୁ ଚାଲିଗଲେ । ଏବେ ଘରର ସବୁ ଦାୟିତ୍ୱ ଏହି କୁନି ପୁଅ କାନ୍ଧରେ । ଘରେ ରୋଷେଇ କରିବାଠାରୁ ଆରମ୍ଭ କରି ବାପାଙ୍କ ସହ ଯାଉଛନ୍ତି ଷ୍ଟେସନ୍ ବଜାରରେ ଚା’ ବିକ୍ରି କରୁଛନ୍ତି । । ଏଠାରେ ବାପା ଚା ତିଆରି କଲେ ଶୁଭମ୍ ଚା’ ଗ୍ଲାସ ଗ୍ରାହକଙ୍କୁ ବଢାଇଦିଅନ୍ତି । କାରଣ ଏଥିରୁ ଯେଉଁ ଦି ପଇସା ମିଳିବ ସେଥିରେ ତ ପେଟର ଭୋକ ମେଣ୍ଟିବ , ଘର ଚଳିବ । ଯିବା ଆସିବା ବେଳକୁ ସବୁ ଜିନିଷପତ୍ର ଏକାଠି କରି ବାପାଙ୍କ ଟ୍ରାଇ ସାଇକେଲରେ ବାନ୍ଧି ବାପାଙ୍କୁ ଠେଲି ଠେଲି ନବା ଆଣିିବା କରନ୍ତି । ମଝିରେ ମଝିରେ ସମୟ ଟିକେ ମିଳିଲେ ବହି ଖୋଲି ବସିପଡନ୍ତିି, ପାଠ ଲେଖିପକାନ୍ତି । କାରଣ ତାଙ୍କର ଭାରି ଇଚ୍ଛା ସରକାର ଯଦି ଟିକେ ସାହାଯ୍ୟ କରନ୍ତେ, ସେ ଭଲ ପାଠ ପଢିନ୍ତେ, ଚାକିରି କରି ବାପାଙ୍କୁ ସାହାଯ୍ୟ କରିପାରନ୍ତେ ।

ପାଠ ପଢି ବଡ ମଣିଷ ହେବେ, ଚାକିରି କରିବେ, ବାପାଙ୍କ ଦୁଃଖ ଦୂରେଇ ଦେବେ, ଶୁଭମଙ୍କ ଆଖିରେ ଏମିତି କେତେ ସ୍ୱପ୍ନ ହେଲେ ବାଧକ ହେଉଛି ବାପା ଆଉ ଘରର ବୋଝ । ଏପରି ସ୍ଥଳେ ସ୍ଥାନୀୟ ପ୍ରଶାସନ ସହାୟତାର ହାତ ବଢାଇଲେ ଶୁଭଙ୍କ ଭାଗ୍ୟ ବଦଳିପାରନ୍ତା । ଦୁଃଖର ବୋଝ ଲାଘବ ହୋଇପାରନ୍ତା ।

ଆଶା ଓ ବିଶ୍ୱାସ ଗଣମାଧ୍ୟମରେ ଶୁଭମଙ୍କ ଏପରି ଦୁର୍ଦ୍ଦଶା ଦେଖିବା ପରେ ପ୍ରଶାସନ ନିଶ୍ଚୟ ସାହାଯ୍ୟ କରିବେ ।