ଢେଙ୍କାନାଳ ମୋଟଙ୍ଗାରେ ଦନ୍ତା ହାତୀ ଉପଦ୍ରବ: ଶୁଣ୍ଢରେ କଚାଡ଼ିବା ପରେ ଚାଲିଗଲା ମା’ର ଜୀବନ, ଅଳ୍ପକେ ବର୍ତିଲେ ଝିଅ

90

କନକ ବ୍ୟୁରୋ: ଝିଅ ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା । ଘରେ ଭିଡ଼ ଜମିବା ସହ ଖୁସିର ମାହୋଲ ମଧ୍ୟ ଆରମ୍ଭ ହୋଇଥିଲା । ଆଉ ମାତ୍ର ୪ଦିନ ପରେ ଝିଅର ବାହାଘର ହୋଇଥାଆନ୍ତା । ହେଲେ ଅଶୁଭ ସଂଧ୍ୟା ସବୁକିଛି ବିଗାଡ଼ିଦେଲା । ମା-ଝିଅ ଶୌଚ ପାଇଁ ବିଲ ନିକଟକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ମା’ । ଆଉ ଅଳ୍ପକେ ବର୍ତିଗଲେ ଝିଅ । ମୃତ ମହିଳା ଜଣଙ୍କ ହେଲେ ଦିପ୍ତିମୟୀ ସାହୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମୋଟଙ୍ଗା ଥାନା ତାଳଡଙ୍ଗା ଗାଁରେ । ସୂଚନା ଅନୁସାରେ ଗୋଠଛଡା ଦନ୍ତା ହାତୀଟି ସଂଧ୍ୟାରେ ରାଜପଥ ଓ ରେଳପଥ ପାର ହୋଇ ତାଳଡଙ୍ଗା ଗାଁ ଆଡ଼କୁ ମୁହାଁଇଥିଲା । ଆଉ ହାତୀ ହାବୁଡ଼ରେ ପଡିଯାଇଥିଲେ ଦିପ୍ତିମୟୀ ଓ ତାଙ୍କ ଝିଅ । ହାତୀଟି ଦିପ୍ତିମୟିଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଝିଅ ଦୌଡ଼ି ପଳାଇବାରୁ ବର୍ତିଯାଇଥିଲେ । ଆଖପାଖ ଲୋକ ହୋହଲ୍ଲା କରିବାରୁ ହାତୀଟି ନିକଟସ୍ଥ ଚାଷ ଜମିକୁ ପଳାଇଯଇଥିଲା । ଘଟଣା ସ୍ଥଳରେ ଲୋକେ ପହଂଚିଲା ବେଳକୁ ଦିପ୍ତିମୟିଙ୍କର ମୃତ୍ୟୁ ହୋଇସାରିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।