ନିର୍ବାଚନ ପାଣ୍ଠିକୁ ସ୍ୱଚ୍ଛ କରିବ କି ଇଲେକ୍ଟୋରାଲ ବଣ୍ଡ ? ଜନତା ଜାଣିବେନି, ସରକାର ଜାଣିପାରନ୍ତି ଚାନ୍ଦାର ଉତ୍ସ

29

କନକ ବ୍ୟୁରୋ : ଇଲେକ୍ଟୋରାଲ ବଣ୍ଡ କାର୍ଯ୍ୟକାରୀ ହେବା ନେଇ ଘୋଷଣା ପରେ କିଛି ଏଭଳି ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପାଣ୍ଠିରେ ସ୍ୱଚ୍ଛତା ନେଇ ନିଆଯାଇଥିବା ଏହି ପଦକ୍ଷେପ ବିବାଦ ବଢାଇବାର ଆଶଙ୍କା ରହିଛି । ଦାତାଙ୍କ ନାମ ଗୋପନୀୟ ରହୁଥିବା ବେଳେ କେବଳ ବ୍ୟାଙ୍କ ଜାଣିପାରିବ, କେଉଁ ଦଳକୁ କିଏ କେତେ ଟଙ୍କା ଦେଇଛି । ଆଉ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମାଧ୍ୟମ କରି ଶାସନରେ ଥିବା ଦଳ ଜାଣିପାରିବ, ବିରୋଧୀଙ୍କୁ କିଏ ଦେଇଛି କେତେ ଟଙ୍କା । ଫଳସ୍ୱରୂପ ଟଙ୍କା ଦେଇଥିବା ସଂସ୍ଥା ଓ ବିରୋଧୀ ରାଜନୈତିକ ଦଳ ଆକ୍ରୋଶର ଶିକାର ହୋଇପାରନ୍ତି ।

ଟଙ୍କା କେଉଁଠୁ ଆସୁଛି, କିଏ ଦେଉଛି, ଆଉ କାହା ଖାତାକୁ କେତେ ଯାଉଛି, ସେବାବଦରେ ଜନତା ଜାଣିବାର ସୁଯୋଗ ନାହିଁ । ଏପରିକି ନିର୍ବାଚନ କମିଶନଙ୍କ ପାଖରୁ ମଧ୍ୟ ତଥ୍ୟ ମିଳିବା କାଠିକର ପାଠ ହୋଇଯିବ । ଏପରି କ୍ଷେତ୍ରରେ ସ୍ୱଛତା ନୁହେଁ ବରଂ ଦୁର୍ନୀତିକୁ ଅଧିକ ପ୍ରଶ୍ରୟ ମିଳିବ ବୋଲି ଅନୁମାନ କରାଯାଉଛି ।

ତଥ୍ୟ କହୁଛି, ରାଜନୈତିକ ଦଳକୁ ଅଜଣା ସ୍ରୋତରୁ ପ୍ରାୟ ୭୦ ପ୍ରତିଶତ ଚାନ୍ଦା ମିଳୁଛି । ଇଲେକ୍ଟୋରାଲ୍ ବଣ୍ଡ ହୁଏତ କଳାଧନ କାରବାରକୁ ରୋକିବାରେ କିଛି ମାତ୍ରାରେ ସହାୟକ ହୋଇପାରେ । ହେଲେ କାହା ଟଙ୍କାରେ ଦଳ ଓ ସରକାର ଚାଲୁଛି ତାହା ଜାଣିବା ଆଉ ସମ୍ଭବ ହେବନି ।