ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ବିଧିରେ ବିଭ୍ରାଟ : ସେବାୟତଙ୍କ ଅସହଯୋଗରୁ ହେଲାନି ମଙ୍ଗନ, କେମିତି ପଡ଼ିବ ହାତଗଣ୍ଠି ?

125

କନକ ବ୍ୟୁରୋ : ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ବିଧିରେ ଦେଖାଦେଇଛି ମହାବିଭ୍ରାଟ । ମନ୍ଦିର ପ୍ରଶାସନର ଅବହେଳାକୁ ବିରୋଧ କରି ସେବାୟତମାନେ ଅସହଯୋଗ କରିବାରୁ ହୋଇପାରିଲାନି ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ବିଧି ସମ୍ପନ୍ନ । ଦିନ ତମାମ୍ ମନ୍ଦିର ନୀତିିରେ ବି ବିଭ୍ରାଟ ଘଟିଥିବା ସୂଚନା ରହିଛି । ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା କାରଣରୁ ଠାକୁରଙ୍କ ବିଧି ବନ୍ଦ ହୋଇଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ମଙ୍ଗନ ନୀତି ବନ୍ଦ ହୋଇଥିବା ବେଳେ ବାହାଘର ପର୍ବ କିପରି ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ମନ୍ଦିର ପ୍ରଶାସନ ମଧ୍ୟ ନିରବ ରହିଥିବାରୁ ଏକାମ୍ର କ୍ଷେତ୍ରରେ ଚାପା ଉତେଜନା ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ଗତକାଲି ପୂର୍ବାହ୍ନରୁ ସେବାୟତମାନଙ୍କ ଅସହଯୋଗ ଆରମ୍ଭ ହୋଇଥିଲା। ମନ୍ଦିର ପ୍ରଶାସନକୁ ଚେତାଇବାକୁ ମଙ୍ଗଳ ଆଳତି ବେଳରୁ ସେବାୟତ ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରାଯାଇଥିଲା ଓ ପ୍ରଥମେ ସକାଳୁ ଦୁଇ ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଅବଶ୍ୟ ଏହା ପ୍ରତୀକାତ୍ମକ ଅସହଯୋଗ ଆନ୍ଦୋଳନ ଥିଲା ଓ ୨ଘଣ୍ଟା ନୀତି ବନ୍ଦ କରାଯିବା ପରେ ପୁଣି ନୀତି ସ୍ବାଭାବିକ ହୋଇଥିଲା। ତଥାପି ପ୍ରଶାସନ କିଛି ପଦକ୍ଷେପ ନେଇନଥିଲା। ଫଳରେ ସନ୍ଧ୍ୟାରେ ପୁଣି ନୀତି ବନ୍ଦ ହୋଇଥିଲା।

ସନ୍ଧ୍ୟାରେ ବଲ୍ଲଭ ପରେ ଦ୍ବିପ୍ରହର ଧୂପ ନୀତି ହୋଇଥିଲା ଓ ଏହା ପରେ ଠାକୁରାଣୀଙ୍କ ଦ୍ବିପ୍ରହର ଧୂପ ହୋଇଥିଲା । ସୂଚନାଯୋଗ୍ୟ, ବିଧି ଅନୁସାରେ ଏହି ସମୟରେ ଶଙ୍କୁଡ଼ି ଭୋଗ ପ୍ରସ୍ତୁତି ହୁଏ। ଏହା ପରେ ଶଙ୍କୁଡ଼ି ଭୋଗ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥା’ନ୍ତା । ଏହା ପରେ ଲିଙ୍ଗରାଜଙ୍କ ବିବାହ ପାଇଁ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ହୋଇଥା’ନ୍ତା ଓ ବଡ଼ସିଂହାର ପରେ ପହୁଡ଼ ପଡ଼ିଥାନ୍ତା। କିନ୍ତୁ ପୂର୍ବ ଘୋଷଣା ଅନୁଯାୟୀ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରାଗଲା । ଦ୍ବିପ୍ରହର ଧୂପ ନୀତି ପରେ ସେବାୟତମାନେ ଆଉ କୌଣସି ନୀତିରେ ସାମିଲ ହୋଇନଥିଲେ । ଫଳରେ ଠାକୁରଙ୍କ ବିବାହ ପାଇଁ ମଙ୍ଗନ ବିଧି ଅନୁଷ୍ଠିତ ହୋଇପାରିଲା ନାହିଁ ।

ବଡ଼ କଥା ହେଉଛି, ମନ୍ଦିରର ଦୁଇ ପ୍ରମୁଖ ନିଯୋଗ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ପୂର୍ବରୁ ଏନେଇ ଚେତାବନୀ ଦିଆଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ ସହଯୋଗ କରିବେ ନାହିଁ ବୋଲି ଲିଖିତ ଜଣାଇଥିଲେ । ହେଲେ ପ୍ରଶାସନ ସେମାନଙ୍କ ଏହି ଚେତାବନୀକୁ ହାଲୁକା ଭାବେ ନେଲା। ଫଳରେ ସେମାନେ ନୀତିରେ ଅସହଯୋଗ କଲେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।