ମେଡିକାଲରେ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

215

କନକ ବ୍ୟୁରୋ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରେ ନାବାଳକର ମୃତ୍ୟୁ ଅଭିଯୋଗ । ଏହାର ପ୍ରତିବାଦରେ ଟାୟାର ଜାଳି ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଅବରୋଧ କଲ ଉତ୍ତ୍ୟକ୍ତ ଗ୍ରାମବାସୀ । ଫଳରେ ସେହି ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ମୃତକ ହେଉଛନ୍ତି ସଗଡିଆ ସାହିର ୯ ବର୍ଷର ନାବାଳକ ସୁମନ୍ତ ଦିଗାଲ । ସଗଡିଆ ସାହି ନିକଟ ଜାତୀୟ ରାଜପଥରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଡାକ୍ତରମାନଙ୍କୁ କ୍ଲିନିକରେ ବସିବା ବନ୍ଦ କରାଯାଉ ବୋଲି ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ । କ୍ଲିନିକରେ ବସି ଡାକ୍ତରମାନେ ଟଙ୍କା ପାଉଥିବାରୁ ସଠିକ୍ ସମୟରେ ଡାକ୍ତରଖାନାକୁ ଆସୁନାହାନ୍ତି । ଡାକ୍ତର ସଠିକ୍ ସମୟରେ ଚିକିତ୍ସା କରିନଥିବାରୁ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା ଅବରୋଧ ଖବର ପାଇ ଫୁଲବାଣୀ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ରେଡକ୍ରସ ପାଣ୍ଠିରୁ କିଛି ସହାୟତା ଦେଇ ବୁଝୁସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।