ସିବିଆଇ ଅଫିସରେ ମହିମା ମିଶ୍ର ହାଜର । ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ସିବିଆଇ

114

କନକ ବ୍ୟୁରୋ : ଭୁବନେଶ୍ୱର ସିବିଆଇ ଅଫିସରେ ପୁଣି ହାଜର ହେଲେ ଶିଳ୍ପପତି ମହିମା ମିଶ୍ର । ସିବିଆଇ ନୋଟିସ ପରେ ଆଜି ସେ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । କହିଲେ, ସିବିଆଇ କାହିଁକି ଡ଼କାଇଛି ଜାଣିନାହାନ୍ତି । ଗତକାଲି କଟକ, ପାରାଦୀପ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ସିବିଆଇ ଟିମ୍ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ କଟକ ଓଡ଼ିଆ ବଜାରରେ ଥିବା ଘର, ଅଫିସ, ପାରାଦୀପ ଓ ଭୁବନେଶ୍ୱରରେ ଥିବା ମହିମାନନ୍ଦଙ୍କ ଦୁଇଟି ଘର ଏବଂ ଦୁଇଟି ଅଫିସରେ ଚଢ଼ଉ କରିଛି । ମହିମାନନ୍ଦଙ୍କୁ ପାରାଦୀପରେ ଓ ଓଡ଼ିଆ ବଜାର ଘରେ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍ ଦୀର୍ଘ ସମୟ ଜେରା କରିଛି । ଏହି ଘଟଣାରେ ୬୫ ଲକ୍ଷରୁ ଅଧିକ ଟଙ୍କା ସିବିଆଇ ଜବତ କରିଥିବା କୁହାଯାଉଛି ।

ଅନ୍ୟପଟେ ସିବିଆଇ ଟିମ୍‌ ପାରାଦୀପରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା କୁହାଯାଉଛି । ଅନ୍ୟପଟେ ଏହି ଲାଞ୍ଚ କାରବାର ମାମଲାରେ ସିବିଆଇ ପାରାଦୀପ ବନ୍ଦର ଅଥରିଟିର ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ଜଣେ ଠିକାଦାର ସୁମନ୍ତ ରାଉତଙ୍କୁ ପାରାଦୀପ ବନ୍ଦରର ଏକ ଗେଷ୍ଟ ହାଉସରେ ଜେରା କରିଛି । ଭୁବନେଶ୍ବର ବରମୁଣ୍ଡାରେ ଥିବା ମହିମାଙ୍କ ପୁରୁଣା ଘରେ ସିବିଆଇର ଆଉ ଏକ ଟିମ୍ ଚଢ଼ଉ କରିଥିଲା । ଭୁବନେଶ୍ୱରରେ ଏହି ଲାଞ୍ଚ କାରବାରରେ ସଂପୃକ୍ତ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗୁରୁବାର ସନ୍ଧ୍ୟାରେ ଉଠାଇ ନେଇଥିବା ସୂଚନା ମିଳିଛି ।